ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି : ଭଦ୍ରକରେ ରାସ୍ତା ଉପରେ ଘାଇ; ସୋରରେ ଦୋକାନରେ ପଶିଲା ପାଣି, ଚାଷଜମି ବି ଜଳମଗ୍ନ, ଭଦ୍ରକ ବନ୍ତର ୩ଟି ଗାଁ, ଖୋର୍ଦ୍ଧାରେ ୪ ଟି ଗାଁ ଜଳବନ୍ଦୀ 

ଅସ୍ତରଙ୍ଗରେ କୂଳ ଲଂଘୁଛି ସମୂଦ୍ର

190
କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ସୃଷି ହେଲା ଘାଇ । ଜଳବନ୍ଦୀ ଅବସ୍ଥାରେ ଲୋକେ ।  ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି  ଭଦ୍ରକ ବନ୍ତ ବ୍ଲକ  କେନ୍ଦୁଆପଦା ପଂଚାୟତ ଅଧିନ ୩ଟି ଗାଁରେ ।  ଗାଁକୁ ସଂଯୋଗ କରୁଥିବା  ରାସ୍ତାରେ ଆଣ୍ଠୁଏ ପାଣିର ସୁଅ ଛୁଟିଛି ।  ଅନ୍ୟ ରାସ୍ତାରେ  ବି ଘାଇ ହୋଇଯାଇଛି ।  ମୁଗଗଡିଆ,  କଶଗଡିଆ ଓ ଗୋହିରାପଦି ହୋଇଛି ଜଳାର୍ଣ୍ଣବ ।  ବନ୍ୟାପାଣି ବଢୁଥିବାରୁ  ଦୁର୍ବଳ ରାସ୍ତାରେ ଘାଇ ସୃଷ୍ଟି ହୋଇ ପାଣି ସୁଅ ଚାଲିଛି ।  ଶହ ଶହ ଏକର ଚାଷଜମି  ଜଳମଗ୍ନ ହେବା ସହ ଗାଁଗୁଡିକ ଜଳବନ୍ଦୀ ଅବସ୍ଥାରେ ରହିଛି । ଲଗାଣ ବର୍ଷା ପ୍ରଭାବରେ  ବାଲେଶ୍ୱର ସୋରରେ ଗାଁ ଭିତରକୁ ବନ୍ୟା ପାଣି ମାଡିଯାଇଛି । ୧୦ଟି ଦୋକାନରେ  ପାଣି ପଶିଯାଇଛି । ଫଳରେ ଦୋକାନର ସମସ୍ତ ପ୍ରକାର ଜିନିଷପତ୍ର ନଷ୍ଟ ହୋଇଯାଇଛି । ସେହିପରି ଚାଷ ଜମିରେ ପାଣି ମାଡିଯାଇଛି ।
ଖୋର୍ଦ୍ଧାରେ ପଶିଲା ବନ୍ୟା ଜଳ । ଲଗାଣ ବର୍ଷାରେ ରାଜୁଆ ନଦୀ ଫୁଲିବାରୁ ଖୋର୍ଦ୍ଧା ଜିଲ୍ଲାର ୪ ଗାଁ ଏବେ ଜଳବନ୍ଦୀ ।ଜିଲ୍ଲାର ଓରବରସିଂହ ପଂଚାୟତର ହିରିମୁଳୁ, ରାଇପୁର, ମଶାଣିଆ. କୃଷ୍ଣପୁର ଗାଁ ଏବେ ଜଳବନ୍ଦୀ । ଏହିସବୁ ଗାଁରେ ବନ୍ୟା ପାଣି ପଶିବାରୁ ହେକ୍ଟର ହେକ୍ଟର ଚାଷ ଜମିରେ ଜଳମଗ୍ନ ହୋଇଛି ।  ସେହିପରି ଦିହଖଳା-ହିରିମୂଳ ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟାତ ପାଇଁ ଅସୁବିଧା ଭୋଗୁଛନ୍ତି ଲୋକେ ।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଅସ୍ତରଙ୍ଗ ବ୍ଲକରେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି । ଆଜିଠୁ ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ମଧ୍ୟ ଜାରି ରହିଛି । ଲଘୁଚାପ ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇଛି । ସମୁଦ୍ର ଅଶାନ୍ତ ରହିବା ସହ ଅନେକ ସ୍ଥାନରେ କୂଳ ଲଂଘୁଛି ସମୁଦ୍ର ପାଣି । ବ୍ଲକର ଶିଶୁଅ ପଂଚାୟତର ଛେନୁଆ, ତଣ୍ଡାହର, ଉଦୟକଣି ଗାଁ ଠାରୁ ୫ଶହ ମିଟର ପର୍ଯ୍ୟନ୍ତ ସମୁଦ୍ର କୂଳରେ ବନବିଭାଗ ପକ୍ଷରୁ କିଆ ବାଡ଼ କରାଯାଇଛି । କିନ୍ତୁ ସମୁଦ୍ର ଢେଉରେ ବଡ଼ ବଡ଼ ବାଲିସ୍ତୁପ ସବୁ ସମୁଦ୍ର ଗର୍ଭରେ ଲିନ ହେଲାଣି । ସମୁଦ୍ର କୂଳରେ ଥିବା ୫ଟି ଗାଁ ଲଘୁଚାପ ଆସିଲେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଲଘୁଚାପ ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଭଦ୍ରକ ଆରଡି ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ପାଣି । ବୁଡିଲେ ବିଗ୍ରହ । ବର୍ଷା ଯୋଗୁଁ ଗତକାଲି ରାତିରେ ମନ୍ଦିର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପାଣି ପଶିଯାଇଛି । ଫଳେରେ ଆଜି ସକାଳେ ମଙ୍ଗଳ ଆଳତୀ ନୀତି ସମେତ ଅନ୍ୟାନ୍ୟ ନୀତିରେ ବିଳମ୍ବ ଦେଖାଦେଇଥିଲା ।