ଫୁଲୁଛି ମହାନଦୀ, ଆସୁଛି ବନ୍ୟା : ହୀରାକୁଦରୁ ୩୪ ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣିି

147

କନକ ବ୍ୟୁରୋ : ହୀରାକୁଦରୁ ୩୪ଟି ଗେଟ୍ ଖୋଲାଯିବା ପରେ ଧିରେ ଧିରେ ଫୁଲୁଛି ମହାନଦୀ । ଫଳରେ ମହାନଦୀରେ ଛୋଟିଆ ବନ୍ୟା ଆସିବା ଆଶଙ୍କା ଦେଖାଦେଇଛି । ମହାନଦୀର ଜଳସ୍ତର ବଢ଼ିବା ପରେ ଏହାର ଶାଖା ନଦୀ ଗୁଡିକର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଆଉ ମହାନଦୀର ଅବବାହିକାରେ ଥିବା ୧୦ରୁ ଅଧିକ ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି କରିଛି । ହୀରାକୁଦ ଡ୍ୟାମର ତଳମୁଣ୍ଡରେ ଥିବା ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ।

ବିଶେଷକରି ଏହି ସବୁ ଜିଲ୍ଲାର ନଦୀ କୁଳିଆ ଅଞ୍ଚଳ ଓ ତଳି ଅଞ୍ଚଳରେ ବନ୍ୟା ପାଣି ପଶିବାର ଆଶଙ୍କା ସୃଷ୍ଟି ହୋଇଛି । କେବଳ ମହାନଦୀ ନୁହେଁ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବଢ଼ି ବଢ଼ି ଚାଲିଛି । ଯାହା ଫଳରେ ଭଦ୍ରକର ଧାମନଗର, ଭଣ୍ଡାରୀପୋଖରୀ ଓ ଯାଜପୁର ଜିଲ୍ଳାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଜଳକାର ଜଳସ୍ତର ମଥାନୀ ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଜଳସ୍ତର ବଢ଼ୁଥିବାରୁ ତଳିଆ ଅଞ୍ଚଳରେ ଥିବା ଗାଁ ଗୁଡିକରେ ପଶି ଯାଇଛି ପାଣି । ଆଗକୁ ଆହରୁି ବର୍ଷା ହେବାର ଆଶଙ୍କା ଥିବାରୁ ଚିନ୍ତାରେ ପଡିଛନ୍ତି ନଦୀ କୂଳିଆ ଲୋକେ । ସେପଟେ ଗୁଣପୁରରେ ବଂଶଧାରାରେ ବଢୁଥିବାବେଳେ , ନିମାପଡାରେ କୁଶଭଦ୍ରା ଓ ରାଜଘାଟରେ ସୁବର୍ଣ୍ଣରେଖା ବଢୁଛି ।