ରାଜ୍ୟରେ ବନ୍ୟା ସ୍ଥିତି: ଜଳଘେରରେ ୧ ଲକ୍ଷ ୨୦ ହଜାର ଲୋକ । ୪୯ଟି ବ୍ଲକ୍, ୩୬୯ ଗ୍ରାମ ପଞ୍ଚାୟତ, ୧୩୬୬ଟି ଗାଁ ପ୍ରଭାବିତ

144

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ବନ୍ୟା ସ୍ଥିତି । ଏବେ ବି ଜଳଘେରରେ ବିତୁଛି ଜୀବନ । ଏହାରି ଭିତରେ ଏସଆରସି ପ୍ରଦୀପ ଜେନା ରାଜ୍ୟରେ ବନ୍ୟା ସ୍ଥିତି ନେଇ ତାଜା ଅପଡେଟ୍ ଦେଇଛନ୍ତି । ଏସଆରସିଙ୍କ କହିବା ମୁତାବକ ରାଜ୍ୟ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବନ୍ୟା ହେତୁ ରାଜ୍ୟର ୪୯ଟି ବ୍ଲକ୍, ୩୬୯ ଗ୍ରାମ ପଞ୍ଚାୟତ ଏବଂ ୧୩୬୬ଟି ଗାଁ ପ୍ରଭାବିତ ହୋଇଛି ।

ମିଳିଥିବା ସୂଚନା ମୁତାବକ, ରାଜ୍ୟର ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକ ଏବେ ବି ଜଳଘେରୀ ଭିତରେ ଫସି ରହିଛନ୍ତି । ୨୩୭ଟି ଗାଁର ଲୋକ ଜଳ ଘେରୀ ଭିତରେ ଫସିଥିବା ଏସଆରସି ସୂଚନା ଦିଆଯାଇଛି । ତେବେ ପ୍ରଶାସନ ତରଫରୁ ଯେଉଁ ଲୋକଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ରାଜ୍ୟର ୨୬ରୁ ୨୭ ହଜାର ଲୋକଙ୍କୁ ବର୍ତ୍ତମାନ ମାଗଣା ଖାଇବା ଯୋହାଇ ଦିଆଯାଉଛି ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ପିକ୍ ଫ୍ଲୋ ଚାଲୁଛି । ମୁଣ୍ଡଳୀ ପାଖରେ ଏହା ୬ରୁ ୭ ଘଣ୍ଟା ପର୍ଯ୍ୟନ୍ତ ରହିବ ବୋଲି ଅନୁମାନ କରାଯାଉଛି । ତେବେ ଆଜି ରାତି ୩ଟା ଯାଏଁ ପିକ୍ ଫ୍ଲୋ ରହିବ । ଏହାପରେ ଆସ୍ତେ ଆସ୍ତେ ଫ୍ଲୋ କମିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେପଟେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କହିବା ମୁତାବକ, ମୁଣ୍ଡଳୀରେ ଏବେ ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ହୀରାକୁଦର ୪୦ଟି ଗେଟ୍ ଦେଇ ଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରୁ ହୀରାକୁଦକୁ ଯେତିକି ଜଳ ପ୍ରବେଶ କରୁଛି ତାହାଠାରୁ ଅଧିକ ଜଳ ନିଷ୍କାସିତ ହେଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।