କନ୍ଧମାଳ ଜିଲ୍ଲାରେ ଜାରି ରହିଛି ବର୍ଷା : ୩ଟି ପଂଚାୟତ ୩ ଦିନ ହେଲା ବାହ୍ୟ ଜଗତରୁ ବିଚ୍ଛିନ୍ନ, ୫୯ ନମ୍ବର ଜାତୀୟ ରାଜପଥରେ ଧୋଇଗଲା ୨ କଲର୍ଭଟ୍

50

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ଯୋଗୁ ଖଡଗ ନଦୀ, ରାହୁଲ ନଦୀ, ଚାଉଳ ଧୂଆଁ ନଦୀ, ତେଲ ନଦୀ ଭଳି ଛୋଟବଡ ନଦୀ ଗୁଡିକରେ ଜଳସ୍ତର ବଢୁଛି । ଫଳରେ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଙ୍କାଗଡ, ଝିରିପାଣି, ଭଣ୍ଡରଙ୍ଗୀର ୩ଟି ପଂଚାୟତ ୩ଦିନ ହେଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳଘେରରେ ରହିଛି ।

ତୁମୁଡିବନ୍ଧ ଜଳେଶ୍ୱର ମନ୍ଦିର ବର୍ଷାପାଣିରେ ବୁଡି ଯାଇଥିବା ବେଳେ କେବଳ ଉପରମୁଣ୍ଡ ଦେଖାଯାଉଛି । ବାଲିଗୁଡା-ତୁମୁଡିବନ୍ଧ ଦେଇଯାଇଥିବା ୫୯ନମ୍ବର ଜାତୀୟ ରାଜପଥ ଗଦ୍ରିଙ୍ଗିଆ ଘାଟିରେ ୨ଟି କଲଭଟ ଧୋଇହୋଇଯିବାରୁ ୪ରୁ୫ ଘଂଟା ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା । ପ୍ରବଳ ବର୍ଷା ଯୋଗୁ ଏହି ଅଂଚଳରେ ବାସ କରୁଥିବା ଲୋକମାନଙ୍କର ମାଟି ଘରଗୁଡିକର ଅବସ୍ଥା ମଧ୍ୟ ଖରାପ ହୋଇଥିବା ଆଶଙ୍କା କରାଯାଉଛି । ବର୍ଷା ଛାଡିବା ପରେ ଏନେଇ ସଠିକ ତଥ୍ୟ ମିଳିପାରିବ ।

ସାରା ରାଜ୍ୟରେ ଆଜି ମଧ୍ୟ ବର୍ଷା ଲାଗି ରହିବ । ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ  ୪୫ରୁ ୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହବ । ତେଣୁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଂକୁ ପରାମର୍ଶ ଦିଆଯାଇଛି । ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ବଳବତର ରହିଛି ।

 

ଏପଟେ ଦୁଇ ଦିନ ହେଲା ଲାଗିରହିଥିବା ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି । ତେବେ ରାଜ୍ୟର କିଛି ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବନ୍ୟା ଆଶଙ୍କା ନଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି । ତଥାପି ବନ୍ୟାସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛନ୍ତି ସରକାର । ଆଜି ରବିବାର ଛୁଟିଥିବା ବେଳେ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ଲଗାଣ ବର୍ଷାରେ ବିଗିଡି ଯାଇଛି ସାରା ରାଜ୍ୟର ଚିତ୍ର । ବର୍ଷା ପାଣିରେ ରାଜଧାନୀ ଭୁବନେଶ୍ୱର ଉବୁଟୁବୁ ହେଉଥିବା ଦୃଶ୍ୟ ଗତକାଲି ନଜରକୁ ଆସିଥିଲା ବେଳେ କଟକରେ ବି ଉପୁଜିଥିଲା ଉକ୍ରଟ ସ୍ଥିତି । ରାସ୍ତାଘାଟରେ ଗାଡ଼ିମଟର ଭାଷୁଥିବା ବେଳେ ଘର ଭିତରେ ଲହଡି ଭାଙ୍ଗିଥିଲା ବର୍ଷା ପାଣି । ଏପଟେ ଉପାନ୍ତ ମାଲକାନଗିରି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ବନ୍ୟା ସ୍ଥିତି ସାଂଘାତିକ୍ ହେବାରେ ଲାଗିଛି । ହାତୀ ଓ ଇନ୍ଦ୍ରାବତୀ ନଦୀ ଫୁଲୁଥିବା ବେଳେ ଅନ୍ୟ ପ୍ରମୁଖ ନଦୀ ଗୁଡ଼ିକରେ ଜଳସ୍ତର ବଢ଼ିବାରେ ଲାଗିଛି ।