ଲଗାଣ ବର୍ଷା ପରେ ବନ୍ୟା ହେଲା କାଳ । ନାଳ ପାଣିରେ ଭାସିଗଲା କାର, ମନ୍ଦିର ଭିତରେ ପସିଲା ବନ୍ୟା ପାଣି ।

377

କନକ ବ୍ୟୁରୋ : ବନ୍ୟାକୁ ନେଇ ଚିନ୍ତା । ଲଗାଣ ବର୍ଷା ପରେ ଦେଶରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ମହାରାଷ୍ଟ୍ର, ଗୁଜରାଟରେ ସ୍ଥିତି ଭୟଙ୍କର ରହିଛି । ବନ୍ୟାରେ ବେହାଲ ନାସିକ୍ ସହର । ଲଗାଣ ବର୍ଷା ଫଳରେ ମହାରାଷ୍ଟ୍ର ନାସିକରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଦାବରୀ ନଦୀର ଜଳସ୍ତର ବଢିବା ସହ ସ୍ଥାନୀୟ ଅଞ୍ଚଳରେ ପଶିଛି ବନ୍ୟା ପାଣି । ରାସ୍ତା ଘାଟ, ଘର ଦ୍ୱାର ଏପରି କି ମନ୍ଦିର ଭିତରେ ବନ୍ୟାପାଣି ପଶିଥିବା ଦେଖିବାକୁ ମିଳିଛି । ବନ୍ୟା ପାଇଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଛି ।

ସେହିପରି ଲଗାଣ ବର୍ଷା ପାଇଁ ଗୁଜରାଟର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ରାଜକୋଟର ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇଥିବାରୁ ଲୋକେ ଅନେକ ସମସ୍ୟାକୁ ସାମ୍ନା କରୁଛନ୍ତି । ରାସ୍ତାରେ ପାଣି ଜମି ରହିଛି । ଫଳରେ ସ୍ଥାନୀୟ ଲୋକେ ପୋଲିସ ସହାୟତାରେ ବୃଦ୍ଧ ଲୋକଙ୍କୁ କାନ୍ଧରେ ବସାଇ ଜଳମଗ୍ନ ଅଞ୍ଚଳରୁ ଉଦ୍ଧାର କରାଯାଉଥିବା ଦେଖିବାକୁ ମିଳିଛି ।

ସେହିପରି ରାଜକୋଟର ଅନ୍ୟ ଏକ ସ୍ଥାନରେ ବର୍ଷା ପାଇଁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ବର୍ଷା ପାଣିରେ ୨ଟି କାର୍ ଭାସି ଯାଉଥିବା ଦେଖିବାକୁ ମିଳିଛି ଗୁଜରାଟ ରାଜକୋଟରେ । ନାଳ ପାଣି ସହ ବର୍ଷା ପାଣି ଜମି ରହି କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ସେପଟେ ଲଗାଣ ବର୍ଷା ପାଇଁ ଦିଲ୍ଲୀରେ ଏକ ୪ ମହଲା ବିଶିଷ୍ଟ କୋଠା ଭୂଷୁଡି ପଡିଛି । ଦିଲ୍ଲୀ ମାଲଖାଗଞ୍ଜ ସବଜି ମଣ୍ଡି ନିକଟରେ ଥିବା କୋଠା ଭୂଷୁଡି ଅନେକ କ୍ଷୟ କ୍ଷତି ଘଟାଇଛି । ଦିଲ୍ଲୀ ଦମକଳ ବାହିନୀ ଉଦ୍ଧାର କାମ ଜାରି ରଖିଛି । ସକାଳ ସାଢେ ୧୧ଟା ସମୟରେ ଏହି କୋଠାଟି ଭୁଷୁଡି ପଡିଥିଲା । ଉଦ୍ଧାର କାର୍ଯ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୨ଜଣ ଛୋଟ ପିଲା ଏବଂ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । ସେହିପରି ୨ଟି ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦିଲ୍ଲୀରେ ଗଚ ୪ ଦିନ ହେବ ବର୍ଷା ଲାଗି ରହିଥିଲା । ଫଳରେ ମାଲଖାଗଂଜ ସବଜି ମଣ୍ଡି ନିକଟରେ ଥିବା ଏହି ପୁରୁଣା କୋଠାଟି ଭୁଷୁଡି ପଡିଛି । ପ୍ରଶାସନର ଉପସ୍ଥିତିରେ ସ୍ଥାନୀୟ ପୋଲିସ ଏବଂ ଦମକଳ ବାହିନୀ ଉଦ୍ଧାର କାମ ଜାରି ରଖିଛି ।