ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି: ହୀରାକୁଦର ଗେଟ୍ ଖୋଲିବା ପରେ ବୌଦ୍ଧ, ହରଭଙ୍ଗା, କଂଟାମାଳରେ ବନ୍ୟା ପରିସ୍ଥିତି ସୃ୍ଷ୍ଟି

59

କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲାର ବନ୍ୟା ପରିସ୍ଥିତି । ହୀରାକୁଦର ଗେଟ୍ ଖୋଲିବା ପରେ ବୌଦ୍ଧ, ହରଭଙ୍ଗା, କଂଟାମାଳ ୩ଟି ବ୍ଲକ୍ରେ ବନ୍ୟା ପରିସ୍ଥିତି ସୃ୍ଷ୍ଟି ହୋଇଛି । ଜଗନ୍ନାଥ ସଡକ ଉପରେ ୫ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ବୌଦ୍ଧ-ହରଭଙ୍ଗା ମଧ୍ୟରେ ଯୋଗାଯୋଗ ବିିଛିନ୍ନ ହୋଇଛି । ସେହିପରି କଂଟାମାଳ–ଘଂଟାପଡା ଅଡାଗଡି ପୋଲ ଉପରେ ୩ଫୁଟ ଉଚ୍ଚର ପାଣି ଚାଲୁଛି ।

ଫଳରେ କଂଟାମାଳ–ଘଂଟାପଡା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ୧୧ଟି ପଂଚାୟତରେ ବନ୍ୟା ଜଳ ପଶି ୪୦ରୁ ଅଧିକ ଗାଁର ଲୋକେ ଜଳବନ୍ଦୀ ହୋଇଛନ୍ତି । ଏହି ଅଂଚଳ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି । ଏକର ଏକର ଜମିରେ ପାଣି ପଶିଛି । ପ୍ରଶାସନ ସ୍ଥିତି ଅନୁଧ୍ୟାନ କରୁଛି ।

ସେପଟେ, ମହାନଦୀରେ ମାଡି ଆସୁଛି ବନ୍ୟା ପାଣି । ହୀରାକୁଦ ଜଳଭଣ୍ଡାରରୁ ୨୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧ ଦଶମିକ୍ ପାଂଚ ଆଠ ଫୁଟ୍ । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୪ଲକ୍ଷ ୧୯ହଜାର ୧୫୦କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରରୁ ୪ଲକ୍ଷ ୮ହଜାର ୧୦୩ କ୍ୟୁସେକ୍ ନିଷ୍କାସିତ ହେଉଛି । ଖଇରମାଲ ନିକଟରେ ୭ଲକ୍ଷ ୬୬ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ବରମୂଳରେ ୪ଲକ୍ଷ ୫୮ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସେହିପରି ମୁଣ୍ଡୁଳି ବ୍ୟାରେଜରେ ୬ଲକ୍ଷ ୨୫ହଜାର ୯୭୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରୁକୁଦ ଡ୍ୟାମରୁ ନିଷ୍କାସିତ ହେଉଥିବା ଜଳ ଆସନ୍ତାକାଲି ସକାଳ ସୁଦ୍ଧା ପହଁଚିବ । ଏହି ପାଣି ପହଁଚିଲେ ମହାନଦୀର ତଳମୁଣ୍ଡରେ ଥିବା ଶହ ଶହ ଗ୍ରାମ ଜଳମଗ୍ନ ହେବାର ଆଶଙ୍କା ସୃ୍ଷ୍ଟି ହୋଇଛି ।

ହୀରାକୁଦର ପାଣି ମହାନଦୀ ଦେଇ ତଳ ମୁଣ୍ଡରେ ପହଂଚିଲାବେଳକୁ କେଉଁସବୁ ଅଂଚଳରେ ବନ୍ୟା ଆଶଙ୍କା ଉପୁଜିପାରେ 

ସୋନପୁର, ବାଉଁଶୁଣି, ବୈଦ୍ଧ, ଆଠମଲ୍ଲିକ, ସାରକୋଶିଆ, ଖୋର୍ଦ୍ଧା, କଟକ, ଜଗତପୁର, ଉରାଳି, ସାଲେପୁର, ମାର୍ଷାଘାଇ, ପାଟକୁରା, ମହାକାଳପଡା, କୁଜଙ୍ଗ ଓ ପାରାଦୀପ ଆଦି ନିମ୍ନ ଭାଗରେ ଥିବା ଅଂଚଳ ବିଶେଷ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି ।