ପାଣି ଘେରରେ ବାଙ୍କିର ୭ ପଂଚାୟତ: ହୁଳୁହୁଳା ପୋଲ ଉପରେ ଚାଲିଛି ୪ ଫୁଟର ପାଣି, ୨୦ ହଜାର ଲୋକ ଜଳବନ୍ଦୀ

43

କନକ ବ୍ୟୁରୋ: ପାଣି ଘେରରେ ବାଙ୍କିର ୭ ପଂଚାୟତ । ୨୦ ହଜାର ଲୋକ ଜଳବନ୍ଦୀ । ୩ ଦିନର ଲଗାଣ ବର୍ଷା ଫଳରେ କଟକ ଜିଲ୍ଲାର ବାଙ୍କି ଅଂଚଳର ୭ଟି ପଂଚାୟତ ଏବେ ପାଣି ଘେରରେ ରହିଛି । ବାଉଁଶଫୁଟ, ବନ୍ଦାଳ, ରତାଗଡ, ଗୋବିନ୍ଦପୁର, ଓସ୍ତିଆ ଆଦି ଅଂଚଳର ପ୍ରାୟ ୨୦ ହଜାର ଲୋକ ଜଳବନ୍ଦୀ ରହିଥିବା ଜଣାପଡିଛି । ହୁଳୁହୁଳା ପୋଲ ଉପରେ ଏବେ ୪ ଫୁଟର ପାଣି ଚାଲିଛି । ଉଦ୍ଧାର ପାଇଁ ପ୍ରଶାସନର ଉଦ୍ୟମ ଜାରି ରହିଛି । ଏହି ସବୁ ଅଂଚଳରେ ଇଂଜିନ୍ ବୋଟ୍ର ବ୍ୟବସ୍ଥା କରାଯାଉଛି । ପ୍ରାୟ ହଜାର ହଜାର ହେକ୍ଟର ଚାଷଜମି ଓ ଫସଲ ମଧ୍ୟ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।

ମୁଣ୍ଡୁଳିରେ କମିଛି ଜଳସ୍ତର । ଗତକାଲି ସନ୍ଧ୍ୟାରେ ସେକେଣ୍ଡ ପିଛା ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ଏହା ୪ ଲକ୍ଷ ୯୮ ହଜାର କ୍ୟୁସେକ୍କୁ ଖସି ଆସିଛି । ପଶ୍ଚିମଓଡିଶାରେ ବାଦଲଫଟା ବର୍ଷା ଯୋଗୁ ମହାନଦୀରେ ଆସିଥିବା ବନ୍ୟା ଜଳ ମୁଣ୍ଡଳି ଦେଇ ସମୁଦ୍ରକୁ ଚାଲିଯାଇଛି । ତେଣୁ ମୁଣ୍ଡଳିରେ ଜଳସ୍ତର ହ୍ରାସ ପାଇଛି । ହେଲେ ଆଜି ହୀରାକୁଦ ଜଳଭଣ୍ଡାରର ପାଖାପାଖି ୧୫ଟି ଗେଟ୍ ଖୋଲାଯିବାର ସମ୍ଭାବନା ଥିବାରୁ ଡ୍ୟାମ୍ର ପ୍ରଥମ ବନ୍ୟାଜଳ ପ୍ରାୟ ୪୫ ଘଂଟା ପରେ ମୁଣ୍ଡଳି ନିକଟରେ ପହଂଚିବ । ହେଲେ ବର୍ତମାନ ସମୟରେ ସେମିତି କିଛି ବଡ ବନ୍ୟା ଆଶଙ୍କା ନଥିବା ସୂଚନା ମିଳିଛି ।

ସେପଟେ, ଲଗାଣ ବର୍ଷାର ପ୍ରଭାବରେ ମହାନଦୀ ଓ ତାର ଶାଖା ନଦୀଗୁଡିକରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦେବୀ ନଦୀର ନିମ୍ନ ଅବବାହିକାରେ ବନ୍ୟା ଆଶଙ୍କା ରହିଛି । ଦେବୀନଦୀର ଜଳପତନ ବାଉରିଆକଣଠାରେ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ବିପଦ ସଂକେତ ରହିଛି ୪.୯୩ ମିଟର । ରାତି ୧୨ଟା ସୁଦ୍ଧା ଏହା ୩.୯୦ରେ ପହଂଚିଛି । ନଦୀରେ ପ୍ରବଳ ସ୍ରୋତ ହେବା ସହ ସମୁଦ୍ରକୁ ବନ୍ୟା ଜଳ ନିଷ୍କାସିତ ହେଉଛି । ସମ୍ଭାବ୍ୟ ବନ୍ୟାକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେଥିପାଇଁ ନିଶାମଜା ଜଳସେଚନ ବିଭାଗ ପକ୍ଷରୁ ସବୁ ବନ୍ଧସଙ୍କୁଳ ବନ୍ଧ ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଅନ୍ୟପଟେ ଲଗାଣବର୍ଷାରେ କେଉଟଜଙ୍ଗା ନିକଟରେ ରିଂଗ ବନ୍ଧରେ ଅତଡା ଖସିବା କାରଣରୁ ଏହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।