କନକ ବ୍ୟୁରୋ : କନ୍ଦାଉଛି ବର୍ଷା, କଷ୍ଟ ଦେଉଛି ବନ୍ୟା । ଘରଦ୍ୱାର ସବୁକିଛି ଯେବେ ବନ୍ୟା ପାଣିରେ ବୁଡ଼ିଯାଏ ସେତେବେଳେ ଉପାୟଶୂନ୍ୟ ହୋଇଯାଏ ମଣିଷ । ଏବେ ଆସାମରେ ଠିକ ସେମିତି କିଛି ଦାଉ ସାଧୁଛି ବନ୍ୟା । ମୌସୁମୀ ବର୍ଷା ଆସାମରେ ପହଁଚିବା ପୂର୍ବରୁ ରାଜ୍ୟ ଉପରେ ବନ୍ୟା କାଳ ବଡ ସମସ୍ୟା ନେଇ ଆସିଛି । ଆସାମ ବନ୍ୟା ଏଭଳି ପରସ୍ଥିତି କରିଛି ଯେ  ବନ୍ୟା ପାଣିରେ ରାସ୍ତା ଧୋଇ ହୋଇ ଯାଇଛି । ଲୋକମାନେ ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ଅତିକ୍ରମ କରୁଛନ୍ତି । ଗୃହପାଳିତ ପଶୁ ସହ ଜୀବନ ବଂଚାଇ ଘର ଛାଡିଚାଲିଯାଉନ୍ତି ଲୋକମାନେ । ଘରଦ୍ୱାର, ରାସ୍ତାଘାଟ ସବୁ କିଛି ଭାସିଯାଇଛି ବନ୍ୟା ପାଣିର ପ୍ରଖର ସ୍ରୋତରେ । ଯୁଆଡେ ଆଖି ପଡୁଛି ସେଠି କେବଳ ବନ୍ୟା ପାଣି ହିଁ ଦିଶୁଛି । ବିଦ୍ୟାଳୟଠୁ  ନେଇ ଡାକ୍ତରଖାନା ସବୁ କିଛି ବୁଡି ଯିବା ଫଳରେ ସ୍ୱାସ୍ଥ୍ୟସେବା, ଶିକ୍ଷା ସହ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହୋଇଛି ।

Advertisment

ଆସାମାର ଅଧିକାଂଶ ରାଜ୍ୟ ଏବେ ବନ୍ୟା ଘେରରେ । ବିଶେଷ କରି ରାଜଧାନୀ ଗୋହାଟୀର ୪୦ଗାଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ୧୦ ଜିଲ୍ଲାର ପ୍ରାୟ ଦେଢଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଆଗାମୀ ୭ଦିନ ଧରି ୫ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଛି ଆଇଏମଡି । ଅନ୍ୟାନ୍ୟ କିଛି ଜିଲ୍ଲା ପାଇଁ ୟୋଲୋ ଓ ଅଂରେଜ ଆଲର୍ଟ ରହିଛି । ବକ୍ସା, ବାରପେଟା, ଦରାଙ୍ଗ, ଧିମାଜୀ, ଧୁବରୀ, କୋକରଝରା, ଲକ୍ଷ୍ମୀପୁର, ସୋନିତପୁର, ଉଦଲଗୀରି ପାଇଁ ସବୁଠୁ ଅଧିକ ବିପଦ ସାଜିଛି ବନ୍ୟା ।

ବର୍ତମାନ ସୁଦ୍ଧା ୪୫ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ୧୩ହଜାର ଲୋକଙ୍କୁ ବନ୍ୟା ପାଣିରୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ, ଏସଡିଆରଏଫ, ସ୍ଥାନୀୟ ପ୍ରଶାସନ ନିୟୋଜିତ ଅଛନ୍ତି । ବ୍ରହ୍ମପୁତ୍ର ସହ ରାଜ୍ୟର ଅଧିକାଂଶ ନଦୀର ଜଳସ୍ତର ବିପଦ ସଂକେତ ଉପରେ ଦେଇ ପ୍ରବାହିତ ହେଉଛି ।