ପ୍ରବଳ ବର୍ଷା ଯୋଗୁଁ ୪ ଜିଲ୍ଲାରେ ବନ୍ୟା ପରିସ୍ଥିତି: ବରଗଡରେ ଉଛୁଳୁଛି ଜୀରା ନଦୀ; ମାଲକାନଗିରି, କନ୍ଧମାଳ ଓ ନବରଙ୍ଗପୁରରୁ ଆସିଲା ସମାନ ଚିତ୍ର

ପୋଲ ଉପରେ ବହୁଛି ବନ୍ୟାପାଣି; ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

525

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ବରଗଡ ଜୀରା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଲାଗି ରହିଥିବା ବର୍ଷା ଫଳରେ ଜୀରା ନଦୀ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି । ଫଳରେ ବରଗଡ-ଅମ୍ବାପାଲ୍ଲିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜୀରାନଦୀର ପୁରୁଣା ପୋଲ ଭାଙ୍ଗି ନୂଆ ପୋଲ ନିର୍ମାଣ ଚାଲିଥିବା ବେଳେ ଅମ୍ବାପାଲିକୁ ସଂଯୋଗ କରୁଥିବା ପାଶ୍ୱ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ଲୋକେ ୫ କିଲୋମିଟର ରାସ୍ତା ବୁଲି ବରଗଡରୁ ଆମ୍ବାପାଲି ଯା’ଆସ କରୁଛନ୍ତି ।

ଲଘୁଚାପ ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ମାଲକାନଗିରିର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ପୋଟେରୁ ନଦୀର ଜଳସ୍ତର ବଢ଼ିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀରେ ବନ୍ୟା ଆସିବା ଯୋଗୁଁ କାଲିମେଳାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କଙ୍ଗୁରକୋଣ୍ଡା ପୋଲ ଉପରେ ୪ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି । ଫଳରେ ମାଲକାନଗିିରିରୁ କାଲିମେଳା ଓ ମାଲକାନଗିରିରୁ- ମୋଟୁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏପରିକି ବନ୍ୟାଜଳ ଗାଁ ଭିତରକୁ ପଶିବା ଆଶଙ୍କା ଦେଖାଦେଇଛି । ସେହିପରି କନ୍ୟାଶ୍ରମ ନଦୀ ଉପରେ ବି ୫ଫୁଟରୁ ଅଧିକ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଯାହାଫଳରେ ବ୍ୟାପକ କ୍ଷୟକ୍ଷତି ଘଟିବ ବୋଲି ଅନୁମାନ କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି ହେବା ସହିତ ପରିସ୍ଥିତି ପ୍ରତି ସଜାଗ ରହିବା ପାଇଁ ସବୁ ବ୍ଲକ୍ କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନବରଙ୍ଗପୁରରେ ପ୍ରବଳ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସହରର ବିଭିନ୍ନ ସାହି ମଧ୍ୟରେ ପାଣି ପଶିବା ସହିତ ଭାଟିଶାଳଗୁଡା ଓ ଇଚ୍ଛାବତୀ ଗୁଡାରେ ଘର ଗୁଡିକ ଭାଙ୍ଗି ପଡିଛି । ସାହି ମଧ୍ୟରେ ଥିବା ଘରଗୁଡିକରେ ପାଣି ପଶିବା ଫଳରେ ଆସବାବପତ୍ର ଗୁଡିକ ପାଣିରେ ଭାସୁଛି । ପ୍ରବଳ ବର୍ଷା ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଲେଜକୁ ଯାଇଥିବା ରାସ୍ତାରେ ପାଣିର ସ୍ରୋତ ଚାଲିଛି । ସେହିଭଳି ରାସ୍ତାରେ ନୂତନ ଭାବେ ନିର୍ମିତ କଲଭର୍ଟ ଅଧା ଭାଙ୍ଗିଯାଇଛି ।ବର୍ଷା ଯୋଗୁଁ ମୁଖ୍ୟ ଚିକିତ୍ସାଳୟ. କଲେଜ ଓ କୋର୍ଟକୁ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରବଳ ପାଣି ପ୍ରବାହିତ ହୋଇଥିବାରୁ ଯୋଗଯୋଗ ବିଚ୍ଚିନ୍ନ ହୋଇଛି ।

ସେପଟେ, ଲଗାଣ ବର୍ଷାରେ ବେହାଲ କନ୍ଧମାଳ ଜିଲ୍ଲା । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତୁମୁଡିବନ୍ଧ ନିକଟସ୍ଥ ମଣ୍ଡଳ ପଦର ନିକଟରେ ଥିବା ଡାଇଭର୍ସନ ଧୋଇ ହୋଇଯାଇଥିବାରୁ ଚାରିଦିନ ହେବ ଗୋପାଳପୁର ରାୟପୁର ୫୯ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଛିନ୍ନ ହୋଇଛି । ଏହି ରାସ୍ତା ଦେଇ ଯାଉଥିବା ଶହ ଶହ ଟ୍ରକ ଏବେବି ଅଟକି ରହିଛି । ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।