ଜଳବନ୍ଦୀ କରିଦେଲା ବୈତରଣୀ ! ବଢୁଛି ଜଳସ୍ତର, ଚିନ୍ତାରେ ତଳିଆ ଅଂଚଳ ଲୋକେ, ଏପଟେ ପୁରୀ ସହର ରାସ୍ତାରେ ଚାଲିଲା ଡଙ୍ଗା ।

40

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡିଶାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ତଳିଆ ଅଂଚଳରେ ପାଣି ପଶିଛି । ବଢୁଛି ବୈତରଣୀର ଜଳସ୍ତର । ଏପରିକି ବୈତରଣୀର ଶାଖାନଦୀ ଓ ଉପନଦୀ ବି ଫୁଲିବାରେ ଲାଗିଛି । ଆନନ୍ଦପୁରର କୁଶେଇ ନଦୀର ଜଳସ୍ତର ବଢୁଛି । ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ଚାରିଆଡେ ଖାଲି ପାଣି ଆଉ ପାଣି । ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇଛି । ଏବଂ ପାଣି ମାଡିଯିବାରୁ ପ୍ରଭାବିତ ହୋଇଛି ଚାଷ । ଉତ୍ତର ଓଡିଶାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଆନନ୍ଦପୁର ଓ ଆଖୁଆପଦାରେ ବୈତରଣୀର ନଦୀ ଜଳସ୍ତର ବଢିଛି । ଆଖୁଆପଦାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ବର୍ତମାନ ୧୭.୯୬ମିଟରରେ ଜଳ ପ୍ରବାହିତ ହେଉଛି । ଧାମନଗର ଓ ଭଣ୍ଡାରୀପୋଖରୀ ଅଂଚଳର ତଳିଆ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଭଣ୍ଡାରୀପୋଖରୀର ମାଲଦା, ନପଙ୍ଗ, ରହଣିଆ ଓ ବାଲିପୋଖରୀ ସହ ଆଖାପାଖର ପଂଚାୟତର ଲୋକେ ଆତଙ୍କିତ ।

ବନ୍ୟା ପାଣି ମାଡିଯିବାରୁ ବେହାଲ ହୋଇପଡିଛି ଆନନ୍ଦପୁରର କେତେକ ଅଂଚଳ । ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁର କୁଶେଇ ନଦୀ ରେମାଳ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି । ତଳିଆ ଅଂଚଳର ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆନନ୍ଦପୁର ବ୍ଲକର କିଛି ଗାଁରେ ପଶିଛି ବନ୍ୟାଜଳ । ଘାଘରା ନାଳ ବଢୁଥିବାରୁ କିଛି ଅଂଚଳରେ ପାଣି ପଶିଛି । ସେପଟେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ସିଙ୍ଗଡୋବ ଗ୍ରାମରେ ୬୦ରୁ ଅଧିକ ପରିବାର ପାଣିଘେରରେ ଅଛନ୍ତି । ରାସ୍ତା ଉପରେ ୫ଫୁଟର ପାଣି ଚାଲୁଛି । ମଝିସାହିରେ ପାଣି ପଶିବାରୁ ୧୦ଟି ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଆନନ୍ଦପୁର-ଭଦ୍ରକ ରାସ୍ତାର ଚାରିନାଳିଆ ନିକଟରେ ମୁଖ୍ୟ ରାସ୍ତାଟି ପାଣିରେ ବୁଡି ଯାଇଛି ।

ସେପଟେ ପିପିଲିରେ ମଧ୍ୟ ବନ୍ୟା ପାଣି ପଶିଛି । କଣାସ ଲୁଣା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ସଲାଗୁଣୀ ନଦୀରେ ବନ୍ୟା ଆସିଛି । ବନ୍ୟା ଯୋଗୁଁ ବଳଭଦ୍ର ପୁର ବିଦ୍ୟାଳୟ, କଣାସ ସରକାରୀ ବିଦ୍ୟାଳୟ, ବୋଇଦାନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୪ଫୁଟ ଉଚ୍ଚର ପାଣିଘେରରେ ବୁଡି ରହିଛି । ଏଥିସହ ଗଡସାନପୁଟ, ବଡ ସାନପୁଟ, କଣାସ, ବଳଭଦ୍ରପୁର, ଗଡସାହି, ଚୁପୁରିଙ୍ଗ, କାଦୁଆ, ଗୋପୀନାଥପୁର, ଗଡିସାଗଦା, ବାଡାଲ ପଂଚାୟତର ଲୋକେ ଭୟଭୀତ ଅଛନ୍ତି ।