ବିହାରରେ ବନ୍ୟାର କରାଳ ରୂପ । ଜୀବନ ଜୀବିକା ଉପରେ ଦାଉ ସାଧିଲା ବନ୍ୟା । ୭୩ଲକ୍ଷ ଲୋକ ବନ୍ୟା ପ୍ରଭାବିତ, ୧୨୨୩ ପଂଚାୟତରେ ପଶିଲା ପାଣି ।

642

କନକ ବ୍ୟୁରୋ : ବିହାରରେ ବନ୍ୟାର କରାଳ ରୂପ । ଜୀବନ ଜୀବିକା ଉପରେ ଦାଉ ସାଧିଲା ବନ୍ୟା । ବନ୍ୟା କେତେ ଭୟଙ୍କର ହୋଇପାରେ ବିହାରର ଦୃଶ୍ୟକୁ ଦେଖିଲେ ସହଜରେ ଅନୁମାନ କରାଯାଇପାରେ । ଘର ଦ୍ୱାର ଚାଷଜମି ସବୁ ପାଣିରେ ବୁଡି ରହିଛି । ଜୀବନ ବିକଳରେ ଲୋକେ ଘର ଦ୍ୱାର ଛାଡିଛନ୍ତି । ହଜାର ହଜାର ସଂଖ୍ୟାରେ ଲୋକେ ଏବେ ବାସସ୍ଥାନ ଛାଡିଛନ୍ତି । ବନ୍ୟା ଏମିତି ଦାଉସାଧିଛି ଯେ ଲୋକେ ଜୀବନ ଜୀବିକା ମଝିରେ ଛନ୍ଦି ହୋଇଯ।।ଇଛନ୍ତି ।

୭୩ଲକ୍ଷ ଲୋକ ବନ୍ୟା ପ୍ରଭାବିତ । ୧୨୨୩ ପଂଚାୟତରେ ପଶିଲା ପାଣି । ନେପାଳରୁ ଆସିଥିବା ନଦୀ ଉତ୍ତର ବିହାର ଦେଇ ପ୍ରବାହିତ ହେଉଛି । ଶନିବାର ଏଥିରେ ବନ୍ୟା ଆସିବା କାରଣରୁ ଠପ ହୋଇଯାଇଛି ଜୀବନ ଯାତ୍ରା । ଡିଜାଷ୍ଟର ମ୍ୟାନେଜମେଂଟ ବିଭାଗର ସୂଚନା ଅନୁସାରେ ୭୩ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ୨୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆଉ ବଢୁନାହିଁ କିନ୍ତୁ ପ୍ରଭାବିତଙ୍କ ସଂଖ୍ୟା ପ୍ରତିଦିନ ଲକ୍ଷାଧିକ ହାରରେ ବଢିଚାଲିଛି । ବର୍ତମାନ ସୁଦ୍ଧା ୧୨୨୩ଟି ପଂଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । କୋଶି, ବାଗମତି, କାରେହ, କମଲା ବଲନ, ଗଣ୍ଡକ ଏବଂ ବୁଢି ଗଣ୍ଡକ ନଦୀରେ ଜଳସ୍ତର ବଢିବା କାରଣରୁ ବିହାରର ୧୬ଟି ଜିଲ୍ଲାରେ ବନ୍ୟା ଅତି ଭୟଙ୍କର ରୂପ ଧାରଣ କରିଛି ।

କ୍ଷତି ସହିଛି ଦରଭଙ୍ଗା, ୨୦ଲକ୍ଷ ପ୍ରଭାବିତ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ଦରଭଙ୍ଗା ଅଂଚଳ । ଏଠାରେ ବନ୍ୟା କାରଣରୁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଲକ୍ଷ ସ୍ଥାନିୟ ବାସିନ୍ଦା ଅଧିକ ପ୍ରଭାବିତ ହୋଇଛନ୍ତି । ମୁଜାଫରପୁର ଅଂଚଳରେ ୬ଜଣଙ୍କ ଜୀବନ ନେଇଛି ବନ୍ୟା । ପାଖାପାଖି ୧୪ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି । ସେହିପରି ପଶ୍ଚିମ ଚମ୍ପାରନରେ ୪ଜଣ, ସରନ ଏବଂ ସାୱନରେ ୨ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ତୃତୀୟ ଅଂଚଳ ଭାବେ ପୂର୍ବ ଚମ୍ପାରନ ସବୁଠାରୁ ଅଧିକ ପ୍ରଭାବିତ ଅଂଚଳ ଭାବେ ପରିଗଣିତ ହେଉଛି । କେହି ମୃତାହତ ହୋଇନଥିବା ବେଳେ ୧୦ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ତେବେ ଏଠାରେ ପାଖାପାଖି ୬୩ଟି ଗାଈଙ୍କ ଜୀବନ ହାନୀ ଘଟିଛି ।

ବିହାରର ଅନ୍ୟ ପ୍ରଭାବିତ ଜିଲ୍ଲାମାନଙ୍କ ମଧ୍ୟରେ ରହିଛି, ସୀତାମାରି, ସପୁଲ, ସେଓହର, ସମସ୍ତିପୁର, ଖାଗାରିଆ, ଗୋପାଲଗଂଜ, କିଶନଗଂଜ, ମଧୁବନି, ମାଧେପୁରା ଏବଂ ସହର୍ସା । ଜଳସମ୍ପଦ ମନ୍ତ୍ରୀ ସଂଜୟ କୁମାର ଝା ସମସ୍ତପୁର ଏବଂ ଦରଭଙ୍ଗା ଗସ୍ତ କରିଛନ୍ତି । ବନ୍ୟା ପୀଡିତଙ୍କ ଉଦ୍ଧାରକାର୍ଯ୍ୟ କିପରି ଚାଲିଛି ତାର ତଦାରଖ କରିଛନ୍ତି ମନ୍ତ୍ରୀ ।

ଉଦ୍ଧାରରେ ନିୟୋଜିତ ଏନଡିଆରଏଫ । ବୟସ୍କ ଓ ମହିଳାଙ୍କୁ ଗୁରୁତ୍ୱ । ଅନ୍ୟପକ୍ଷରେ ବିହାରରେ ରିଲିଫ ଓ ଉଦ୍ଧାରକାର୍ଯ୍ୟ ଜୋରସୋରରେ ଚାଲିଛି । ୨୩ଟି ଏନଡିଆରଏଫ ଟିମ୍ ଏବଂ ୧୦ଟି ଏସଡିଆରଏଫ ଟିମ୍ ଉଦ୍ଧାରକାର୍ଯ୍ୟରେ ଦିନରାତି ଏକ କରିଦେଇଛନ୍ତି । ପାଖାପାଖି ୧୧ଲକ୍ଷରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ରାତି ଅଧରେ ହଇରାଣ ହେଉଥିବା ଲୋକମାନଙ୍କୁ ତୁରନ୍ତ ସହାୟତା ଯୋଗାଉଛି ଏହି ଟିମ୍ । ବିଶେଷ କରି କ୍ଷତିଗ୍ରସ୍ତ ହୋଇଥିବା ବୟସ୍କ ଏବଂ ମହିଳା ମାନଙ୍କ କ୍ଷେତ୍ରରେ ଉଦ୍ଧାରକାର୍ଯ୍ୟକୁ ଅଧିକ ତ୍ୱରନ୍ୱିତ କରାଯାଇଛି ।