ବର୍ଷା ପରେ ବନ୍ୟା ବିତ୍ପାତ : ଚାରି ଜିଲ୍ଲାର ୧୪ ବ୍ଲକରେ ବିଗୁଡୁଛି ସ୍ଥିତି

39

କନକ ବ୍ୟୁରୋ : ବର୍ଷା ପରେ ବନ୍ୟା ବିତ୍ପାତ । କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ବୈତରଣୀ ଏବଂ ତାର ଶାଖା ନଦୀ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ୫ଟି ପଂଚାୟତ ଏବଂ ଆଳି ବ୍ଲକର ୧୦ଟି ପଂଚାୟତରେ ପାଣି ପଶିଛି । ଫଳରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ଜଳସ୍ତର ବଢିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ରାସ୍ତାଘାଟରେ ପାଣି ଜମିବା ଦ୍ୱାରା ଲୋକଙ୍କ ଯାତାୟତରେ ବାଧାସୃଷ୍ଟି ହୋଇଛି । ସେହିପରି ଚାଷ ଜମିଗୁଡ଼ିକରେ ମଧ୍ୟ ଅଂଟାଏ ଅଂଟାଏ ପାଣି ଜମିଥିବା ଦେଖିବାକୁ ମିଳିଛି ।

ବୈତରଣୀରେ ବଢୁଛି ବନ୍ୟା । ଉପରମୁଣ୍ଡ ଓ ଅବବାହିକାରେ ଲଘୁଚାପ ଜନିତ ବର୍ଷା କାରଣରୁ ଫୁଲୁଛି ବୈତରଣୀ ନଦୀ, ଆଜି ରାତି କିମ୍ବା ଆସନ୍ତା ସକାଳ ସୁଦ୍ଧା ବୈତରଣୀ ନଦୀରେ ଏକ ବଡ ବନ୍ୟା ଆସୁଥିବା ସୂଚନା ମିଳିଛି । ପାଣି ବଢ଼ିବା ପରେ ୪ଟି ଜିଲ୍ଲାକୁ ସତର୍କ କରାଇଛି ଜଳସମ୍ପଦ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ଭଦ୍ରକ, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡା । ଏହି ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟାରେ ଏହି ଜିଲ୍ଲାଗୁଡିକର ୧୪ଟି ବ୍ଲକ ପ୍ରଭାବିତ ହେବା ଆଶଙ୍କା ରହିଛି । ସଂପୃକ୍ତ ଅଂଚଳର କ୍ଷେତ୍ର କର୍ମଚାରୀଙ୍କୁ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛିା । ବିଶେଷକରି ନଦୀବନ୍ଧର ଦୁର୍ବଳ, କେନାଲ ବନ୍ଧ ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ଓଡ୍ରାଫ ଓ ଏନଡିଆରଏଫ କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ଉପର ମୁଣ୍ଡରେ ଲଗାଣ ବର୍ଷା ହେବା ପଂଳରେ ବୈତରଣୀ ନଦୀରେ ପୁଣି ବନ୍ୟା ଆସିଛି । ଗତକାଲି ବୈତରଣୀ ନଦୀ ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ଥିବାବେଳେ ବର୍ତମାନ ୧୮.୪୬ ଉପରେ ପ୍ରବାହିତ ହୋଉଛି । ପଂଳରେ ଯାଜପୁର ଜିଲାର କୋରେଇ, ଯାଜପୁର ଓ ଦଶରଥପୁର ବ୍ଲକର ତଳିଆ ଅଂଚଳରେ ବନ୍ୟା ଜଳ ପ୍ରବେଶ କରିଛି । ବିଶେଷ କରି ନଦୀ କୂଳିଆ ଅଂଚଳରେ ବନ୍ୟା ଜଳ ପ୍ରବେଶ କରିବା ପଂଳରେ ଜନଜୀବନ ପ୍ରଭାବିତ ହୋଇଛି । କେତେକ ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହୋଇଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ବାସଗୃହରେ ମଧ୍ୟ ବନ୍ୟା ପାଣି ଘେରି ରହିଥିବା ଯୋଗୁଁ ବିପର୍ଯ୍ୟସ୍ତ ଅବସ୍ଥା ହୋଇଛି ।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆଇତିପୁର ପଂଚାୟତର ରାଘବପୁର ଓ ନୁଆ ଗାଁ ପାଣିଘେରରେ ରହିଛି । ବୈତରଣୀର ବନ୍ୟାଜଳ ଗତକାଲି ରାତିରୁ ଗାଁ ଭିତରେ ପ୍ରବେଶ କରିବାରୁ ଏହି ଦୁଇଟି ଗାଁ ରାସ୍ତାରେ ୪ଫୁଟ ଉଚ୍ଚର ପାଣି ଚାଲଛି । ଫଳରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ଏହି ଦୁଇଟି ଗାଁ । ୧୦୦ରୁ ଉର୍ଦ୍ଧ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ରାଘବପୁର ସ୍କୁଲ ଭିତରେ ପାଣି ପସିଯାଇଥିବାରୁ ଆଜି ସ୍କୁଲ ବନ୍ଦ ରହିଛି । ସେହିପରି ଶାଳଣିଆଁ ହାବଳେଶ୍ୱର, ଗେଡମା ଜାବିନିପୁର ରାସ୍ତାରେ ତିନିଫୁଟ ଉଚ୍ଚର ପାଣି ଚାଲୁଥିବାରୁ ଯାତାୟତ ବନ୍ଦ ହୋଇଯାଇଛି । ଏହା ସହ ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଯାଇଛି ।