ଟ୍ରାକ୍ଟର ରାଲି କରି ଲାଲକିଲ୍ଲା ଭିତରେ ପହଞ୍ଚିଲେ ଆନ୍ଦୋଳନରତ ଚାଷୀ, ବିକ୍ଷୋଭ ପ୍ରଦର୍ଶନ ସହ ଉଡ଼ାଇଲେ ପତାକା ।

90

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ପହଞ୍ଚିଲେ ଚାଷୀ । କୃଷି ଆଇନକୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିବା ଚାଷୀ ଆଜି ଲାଲକିଲ୍ଲାରେ ପହଞ୍ଚିଛନ୍ତି । ପୋଲିସର ସୁରକ୍ଷାବଳୟକୁ ଭେଦ କରି ଟ୍ରାକ୍ଟର ରାଲି ମାଧ୍ୟମରେ ଲାଲକିଲ୍ଲାରେ ପହଞ୍ଚିଛନ୍ତି ଆନ୍ଦୋଳନରତ ଚାଷୀ । କେବଳ ଲାଲକିଲ୍ଲାରେ ପହଞ୍ଚିନାହାନ୍ତି ବରଂ ସେଠାରେ ଥିବା ଖମ୍ବରେ ଚାଷୀ ସଙ୍ଗଠନର ପତାକା ଉଡାଇଛନ୍ତି । ଆଉ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଦିଲ୍ଲୀ ରାସ୍ତାରେ କେବଳ ଟ୍ରାକ୍ଟର ଦେଖିବାକୁ ମିଳୁଛି । ଏହାପୂର୍ବରୁ ସିଙ୍ଘୁ ବର୍ଡର ପାର କରୁଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଚାଷୀ-ପୋଲିସ । ଗୋଟିଏ ପରେ ଗୋଟିଏ ବ୍ୟାରିକେଡ ଭାଙ୍ଗି ଆଗକୁ ବଢୁଥିବା ଚାଷୀଙ୍କ ଉପରେ ଲାଠି ପ୍ରହାର କରିଥିଲା ପୋଲିସ । କିନ୍ତୁ ପୋଲିସର ଏଭଳି ପାହାରକୁ ଖାତିର ନକରି ଆଗକୁ ବଢିଥିଲେ ଚାଷୀ । ଆଉ ଏବେ ସୁରକ୍ଷାବଳୟ ଭେଦ କରି ଲାଲକିଲ୍ଲା ଉପରେ ଚଢିଛନ୍ତି ଚାଷୀ । ଲାଲକିଲ୍ଲା ଭିତରେ ପଶି ବିରୋଧ ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନରତ ଚାଷୀ ।

ଏହାପୂର୍ବରୁ ଦିଲ୍ଲୀ ପୋଲିସ କିଛି ସର୍ତ୍ତ ସହ ଟ୍ରାକ୍ଟର ରାଲି ପାଇଁ ଚାଷୀଙ୍କୁ ଅନୁମତି ଦେଇଥିଲା । ତେବେ ଟ୍ରାକ୍ଟର ରାଲି ଆରମ୍ଭ ହେବା ସହ ଦିଲ୍ଲୀ ସୀମାକୁ ଲାଗି ରହିଥିବା ବିଭିନ୍ନ ରାଜ୍ୟରୁ ଟ୍ରାକ୍ଟର ଧରି ମାଡି ଆସିଥିଲେ ଚାଷୀ । ଆନ୍ଦୋଳନରତ ଚାଷୀଙ୍କୁ ଅଟକାଇବାକୁ ପୋଲିସ ପକ୍ଷରୁ ଚାରିଆଡେ ବ୍ୟାରିକେଡ କରାଯାଇଥିଲେ ମଧ୍ୟ ଏହାକୁ ଭାଙ୍ଗି ଆଗକୁ ବଢିଥିଲେ ଚାଷୀ । ଲାଲକିଲ୍ଲା ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବାକୁୁ ଆନ୍ଦୋଳନରତ ଚାଷୀ ଅନୁମତି ମାଗିଥିଲେ ମଧ୍ୟ ଅନୁମତି ନ ମିଳିବାରୁୁ ଏଭଳି ସ୍ଥିତି ଉପୁଜିଛି । ତେବେ ପୋଲିସ ଲାଲକିଲ୍ଲାରେ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କୁ ବିଦା କରିବା ସହ ପତାକା ଖୋଲିଛି । ଏହାସହ ଆଇନକୁ ହାତକୁ ନ ନେବାକୁ ଆନ୍ଦୋଳନରତ ଚାଷୀଙ୍କୁ ଅପିଲ କରିଛି ଦିଲ୍ଲୀ ପୋଲିସ ।