ଲକଡାଉନ କଟକଣାରୁ ବାଦ ପଡିଲା ମତ୍ସ୍ୟଚାଷ ଓ ଚାଷୀ: ମାଛ ଧରିବାକୁ ଯାଇପାରିବେ ମତ୍ସ୍ୟଜୀବୀ, ବଜାରରେ କରିପାରିବେ ବିକ୍ରି; ସମସ୍ତ ମତ୍ସ୍ୟଜାତୀୟ ସମାଗ୍ରୀ ବିକ୍ରି ଉପରୁ ଉଠିଲା କଟକଣା

କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଦିଆଗଲା ସୂଚନା

654

କନକ ବ୍ୟୁରୋ: ଦେଶରେ କରୋନା ପାଇଁ ଜାରି ହୋଇଥିବା ତାଲାବନ୍ଦରେ ସବୁଠି ଝୁଲୁଛି ତାଲା । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ବାଦ୍ ଦେଲେ ଆଉ ସବୁଥିରେ ତାଲା ଝୁଲୁଛି । ଏହା ମଧ୍ୟରେ କେନ୍ଦ୍ର ସରକାର କରିଛନ୍ତି ବଡ ଘୋଷଣା । ତାଲାବନ୍ଦରୁ ବାଦ୍ ପଡିଛି ମତ୍ସ୍ୟଚାଷ । ମତ୍ସ୍ୟଚାଷ ସହିତ ଜଡିତ ସମସ୍ତ ବ୍ୟବସ୍ଥା ଉପରେ କାମ କରିବ ନାହିଁ ତାଲାବନ୍ଦ କଟକଣା । ମତ୍ସ୍ୟଚାଷ, ମତ୍ସ୍ୟବିହନ, ମତ୍ସ୍ୟ ଖାଦ୍ୟ, ମାଛ ବିକ୍ରି ପାଇଁ ପ୍ୟାକିଂ, ସିଲିଂ ସବୁ ପ୍ରକ୍ରିୟା ଉପରୁ କଟକଣା ହଟାଇବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଏହା ଫଳରେ ଏବେ ମତ୍ସ୍ୟଚାଷୀ ମତ୍ସଚାଷ କରିବା ସହ ମାଛ ଧରିବାକୁ ଯାଇପାରିବେ । ସେହିପରି ଯେଉଁମାନେ ଆକ୍ୱାରିୟମ ମାଛ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ମଧ୍ୟ ଏଥିରୁ ବାଦ୍ ଦେବାକୁ ନିର୍ଦ୍ଦେଶ ନାମାରେ କୁହାଯାଇଛି ।

ଅନ୍ୟପଟେ, ଦେଶରେ ତାଲାବନ୍ଦ ଅବଧି ବୃଦ୍ଧି ନେଇ ଆଜି ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ମୋଦି । କରୋନା ମୁକାବିଲା ପାଇଁ ତାଲାବନ୍ଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମାନଙ୍କ ମତାମତ ନେଇଛନ୍ତି । ଆସନ୍ତା ୧୪ରେ ସାରା ଦେଶରେ ଲକଡାଉନ ସରୁଥିବା ବେଳେ ଅବଧି ବଢାଇବାକୁ ନେଇ ସମୀକ୍ଷା କରାଯାଉଛି । ତେବେ କେନ୍ଦ୍ରର ନିଷ୍ପତି ପୂର୍ବରୁ ଓଡିଶା ସରକାର ତାଲାବନ୍ଦର ଅବଧୀ ଏପ୍ରିଲ ୩୦ ଯାଏଁ ବଢାଇ ଦେଇଛନ୍ତି । ସେହିପରି ତାଲାବନ୍ଦ ଅବଦି ବଢାଇବା ନେଇ ରାଜ୍ୟ କ୍ୟାବିନେଟର ସୁପାରିସ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି ।