ବାଲେଶ୍ୱର ବାହାବଳପୁର ଗଭୀର ସମୁଦ୍ରରେ ହେଉଛି ମାଛ ଚାଷ । ଅତ୍ୟାଧୁନିକ ଜ୍ଞାନ କୌଶଳରେ କେଜ କଲଚର ମାଧ୍ୟମରେ ମାଛ ଚାଷ କରୁଛନ୍ତି ମତ୍ସ୍ୟଜୀବୀ ।

219

କନକ ବ୍ୟୁରୋ: ସମୁଦ୍ର ଭିତରେ ମାଛ ଚାଷ କଥା ଶୁଣିଲେ କୌତୁହଳ ଲାଗୁଥିବ ନିଶ୍ଚୟ । କାରଣ ସମୁଦ୍ର ହେଉଛି ମାଛର ଗନ୍ତାଘର । ଆଉ ତା ଭିତରେ ପଞ୍ଜୁରି ମଧ୍ୟରେ ନୂତନ ଜ୍ଞାନ କୌଶଳରେ କରାଯାଉଛି ମାଛ ଚାଷ । ସ୍ଥଳ ଭାଗରେ ମାଛ ଚାଷ ଅପେକ୍ଷା ସମୁଦ୍ର ମଧ୍ୟରେ ମାଛ ଚାଷ ଦେଉଛି ଅଧିକ ଲାଭ । ଦିନକୁ ଦିନ ସ୍ଥଳ ଭାଗରେ ଜାଗାର ଅଭାବ ଦେଖା ଦେଉଥିବାରୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହି ମାଛ ଚାଷ ପାଇଁ ରହିଥିବା ଭିତ୍ତିଭୁମିକୁ ସଦୁପୋଯୋଗ କରି ସ୍ଥାନୀୟ ଲୋକଙ୍କ ଆୟକୁ ଦୁଇଗୁଣିତ କରିବାର ଲକ୍ଷ୍ୟ ରଖାଯାଇଛି ।

ପଞ୍ଜୁରୀ ଭିତରେ ମାଛ । ଗଭୀର ସମୁଦ୍ର ଭିତରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ମାଛ ଚାଷ କରୁଛନ୍ତି ମତ୍ସ୍ୟଜୀବୀ । ବାଲେଶ୍ୱର ଜିଲ୍ଲା ବାହାବଳପୁର ମାଛ ଉତ୍ପାଦନ କେନ୍ଦ୍ର ଠାରୁ ୫ କିଲୋମିଟର ଦୂର ଗଭୀର ସମୁଦ୍ର ଭିତରେ ଏଭଳି ମାଛ ଚାଷ କରାଯାଉଛି । ଭାରତ ସରକାରଙ୍କ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ଏବଂ ଜାତୀୟ ମତ୍ସ୍ୟ ସମ୍ପଦ ବୋର୍ଡ ଦ୍ୱାରା ପଞ୍ଜୁରି ବା କେଜ ଭିତରେ ଏହି ମାଛ ଚାଷ କରାଯାଉଛି । ଏହାକୁ ଏକ ମେଗା ପାଇଲଟ ପ୍ରଜେକ୍ଟ ଭାବେ ନିଆଯାଇ ଓଡିଶାର ବାଲେଶ୍ୱର ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ପ୍ରଜେକ୍ଟ କରାଯାଇଛି । ୩୦ଟି କେଜରେ ମାଛଚାଷ କରିବା ପାଇଁ ୨ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ମେଗା ପାଇଲଟ ପ୍ରକଳ୍ପ ଦ୍ୱାରା ଅଧିକ ମାଛ ଉତ୍ପାଦନ ହେବା ସହ ମତ୍ସ୍ୟଜୀବୀ, ମାଛଚାଷୀ, ମତ୍ସ୍ୟ ଉଦ୍ୟୋଗୀ ଏବଂ ସ୍ଥାନୀୟ ଲୋକେ ଉପକୃତ ହୋଇପାରିବେ ।

ଏହି ମାଛ ଚାଷ ପାଇଁ ମାଛ ଜାଆଁଳ ହାଇଦ୍ରାବାଦ ଆସୁଥିବା ବେଳେ ମାଛ ଉତ୍ପାଦନ ପରେ ହାଇଦ୍ରାବାଦ, ବିଶାଖାପାଟଣାମ୍, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ବିକ୍ରି କରାଯାଉଛି । ପ୍ରଶିକ୍ଷଣ ନେଇଥିବା ମତ୍ସ୍ୟଜୀବୀ ମାନେ କେଜ ଗୁଡ଼ିକର ତଦାରଖ କରି ଦିନକୁ ତିନି ଥର ମାଛ ମାନଙ୍କୁ ଦାନା ଦେଇଥାଆନ୍ତି । ସ୍ଥାନୀୟ ଅଞ୍ଚଳର ଆଗ୍ରହୀ ମତ୍ସ୍ୟଜୀବୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ କେଜରେ ମାଛ ଚାଷ ପାଇଁ ସରକାରଙ୍କ ତରଫରୁ ସବସିଡି ମାଧ୍ୟମରେ ଋଣ ପ୍ରଦାନ କରାଯାଉଛି । ସବୁଠାରୁ ବଡ କଥା ହେଉଛି ଆଗ୍ରହୀ ମତ୍ସ୍ୟଜୀବୀ ମାନଙ୍କୁ ମିଳୁଥିବା ଋଣରେ ୪୦ ପ୍ରତିଶତ ସବସିଡ ପ୍ରଦାନ କରାଯାଉଥିବା ବେଳେ ମହିଳା କିମ୍ବା ଅନୁସୂଚିତ ଆଗ୍ରହୀ ଚାଷୀଙ୍କ ପାଇଁ ୬୦ ପ୍ରତିଶତ ସବସିଡି ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟରେ ଏହି କେଜରେ ପୋମ୍ପାନୋ ପ୍ରଜାତିର ମାଛ ଚାଷ କରାଯାଇଛି । ଏହି ମାଛର ବଜାର ଚାହିଦା ମଧ୍ୟ ଭଲ ରହିଥିବା ବେଳେ ଏହାର ବଜାର ମୂଲ୍ୟ ୩୦୦ ରୁ ୩୫୦ ଟଙ୍କା ରହିଛି ।

ଗଭୀର ସମୁଦ୍ର ଭିତରେ ଅତ୍ୟାଧୁନିକ ମେରାଇନ କେଜ କଲଚର ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ ବେଶ ଲାଭଦାୟକ ହେବାର ଲକ୍ଷ୍ୟ ରଖାଯାଇଛି । କେଜ କଲଚର ମାଛଚାଷ ପାଇଁ ଉପକୂଳ ଓଡିଶାରେ ବିଶେଷ କରି ବାଲେଶ୍ୱରରେ ଯଥେଷ୍ଟ ଭିତ୍ତିଭୁମି ରହିଛି । ପୂର୍ବରୁ ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଳନାଡୁରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହି ପ୍ରଣାଳୀରେ ହେଉଥିବା ମାଛ ଚାଷରେ ଗୋଟିଏ କେଜରୁ ଗୋଟିଏ ସିଜିନରେ ଯତିକି ମାଛ ଉତ୍ପାଦନ ହୋଇଥାଏ ସ୍ଥଳ ଭାଗରେ ଅଧା ହେକ୍ଟର ପୋଖରିରେ ବର୍ଷକୁ ସେତିକି ମାଛ ଉତ୍ପାଦନ ହୋଇନଥାଏ । ଏହି କେଜରେ ମାଛ ଯାଆଁଳ ମାତ୍ର ୭ ରୁ ୮ ମାସରେ ୮ଶହରୁ ଏକ କେଜି ଓଜନର ହୋଇଥାଏ ।