ଏଥର ମାଓ ଉପତ୍ୟକାରେ ଉଡିବ ତ୍ରିରଙ୍ଗା । ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡାଇବେ ସ୍ୱାଭିମାନ ଅଂଚଳବାସୀ

72

କନକ ବ୍ୟୁରୋ: ଏଥର ମାଓ ଉପତ୍ୟକାରେ ଉଡିବ ତ୍ରିରଙ୍ଗା । ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଥମ ଥର ପାଇଁ ତିରଙ୍ଗା ଉଡିବ ସ୍ୱାଭିମାନ ଅଂଚଳରେ । ଏଥିପାଇଁ ପୁଲିସ ଓ ଯବାନମାନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଜାତୀୟ ଉତ୍ସବ ପାଳନ ହେବାକୁ ଯାଉଥିବାରୁ ସ୍ୱାଭିମାନ ଅଂଚଳବାସୀ ମଧ୍ୟ ବେଶ ଉତ୍ସାହିତ । କାରଣ ମାଓ ସଙ୍ଗଠନର ହାତ ଛାଡି ଏବେ ଦେଶର ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏହି ଅଂଚଳର ବାସିନ୍ଦା ।

ମାଓବାଦୀଙ୍କ ଅଭେଦ୍ୟ ଗଡରେ ଫର ଫର ହୋଇ ଉଡିବ ତ୍ରିରଙ୍ଗା । ନୂଆ ସକାଳ ଦେଖିବ ସ୍ୱାଭିମାନ ଅଂଚଳ । ଭାରତୀୟ ଗଣତନ୍ତ୍ରର ୭୧ ବର୍ଷ ପରେ ପ୍ରଥମ ଥର କରି ଜାତୀୟ ପର୍ବ ଗଣତନ୍ତ୍ର ଦିବସ ପାଳିବେ ସ୍ୱାଭିମାନ ଅଂଚଳବାସୀ । ଜୋଡାମ୍ବରେ ନୂଆ ଥାନା ଓ ଗୋରାସେତୁରେ ବିଏସଏଫ କ୍ୟାମ୍ପ ସ୍ଥାପନ ହବା ପରେ ପ୍ରଥମ ଥର କରି ଲାଲ ଗଡରେ ତ୍ରିରଙ୍ଗା ଉଡାଇ ଗଣତନ୍ତ୍ର ଦିବସ ପାଳିବେ ଯବାନ ।

ଗତ ନଭେମ୍ବର ୧ ତାରିଖରେ ମାଓପ୍ରବଣ ଗୋରାସେତୁ ଠାରେ ବିଏସଏଫ କ୍ୟାମ୍ପ ସ୍ଥାପନ ହୋଇ ଥିଲା। ସେହିପରି ୨୦ ଜୁନ ୨୦୨୦ ରେ ଜୋଡାମ୍ବ ଥାନା ଉଦଘାଟନ କରିଥିଲେ ଖୋଦ ପୁଲିସ ଡିଜି ଅଭୟ । ଆଉ ସେ ଦିନ ଠାରୁ ସ୍ୱାଭିମାନ ଅଂଚଳକୁ ସୁରକ୍ଷା ବଳୟ କୁ ନେଇଛନ୍ତି ଯବାନ । ଆଉ ପ୍ରଥମ ଥର କରି ଗଣ ତନ୍ତ୍ର ଦିବସ ପାଳନ ନେଇ ବେଶ ଉତ୍ସାହିତ ସ୍ୱାଭିମାନ ଅଂଚଳବାସୀ । ଏହା ପୂର୍ବରୁ ଏହିସବୁ ଅଂଚଳରେ ପତାକା ଉତୋଳନ କରିବା ସମ୍ଭବ ନଥିଲା । ଲାଲଗଡରେ ଥିବା ଲାଲ କୋଠି ଓ ଲାଲ ସ୍ମୃତି ସ୍ତମ୍ଭ ଉପରେ ମାଓବାଦୀ ଉଡାଉଥିଲେ ନାଲି ପତାକା  ଆଉ ଘଟାଉଥିଲେ ନାନା ହିଂସାକାଣ୍ଡ । ସେହି ଲାଲ ଇଲାକା ଏବେ ସୁରକ୍ଷା କର୍ମୀଙ୍କ କବଜାରେ । ଗତ ୨୦୧୮ ଜୁଲାଇ ୧୬ ତାରିଖରେ ବହୁ ପ୍ରତୀକ୍ଷିତ ଗୁରୁପ୍ରୀୟା ସେତୁ ଉଦଘାଟନ ପରେ ବିଚ୍ଛାନାଂଚଳ ଠାରୁ ସ୍ୱାଭିମାନ ଅଂଚଳକୁ ରାସ୍ତା ଫିଟି ଥିଲା । ଆଉ ଆସ୍ତେ ଆସ୍ତେ ବିକାଶ ପଥରେ ଆଗେଇ ଚାଲିଛି ସ୍ୱାଭିମାନ ଅଂଚଳ ।