ଦେଶରେ ସଫଳ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକାକରଣ: ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ୩ହଜାର ୩ଶହ ୫୧ଟି ସାଇଟରେ ୧ଲକ୍ଷ ୬୫ହଜାର ୭୧୪ଜଣଙ୍କୁ ଦିଆଯାଇଛି ଟିକା

ସେପଟେ ରାଜ୍ୟରେ ଦିଆଯାଇଛି ୮୫ ପ୍ରତିଶତ ଟିକା

66

କନକ ବ୍ୟୁରୋ : ଦେଶରେ ସଫଳ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକାକରଣ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛି । ସାରା ଦେଶରେ ୩ହଜାର ୩ଶହ ୫୧ଟି ସାଇଟରେ ଟିକାକରଣ କରାଯାଇଛି । ପ୍ରାଥମିକ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦେଶରେ ୧ଲକ୍ଷ ୬୫ହଜାର ୭୧୪ଜଣଙ୍କୁ ଦିଆଯାଇଛି ଟିକା । ତେବେ ଭ୍ୟାକସିନ ନେବା ପରେ କୌଣସି ପାଶ୍ୱର୍ ପ୍ରତିକ୍ରୀୟା ନଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗନାନୀ । ଦେଶରେ ୩ହଜାର ୩ଶହ ୫୧ଟି କେନ୍ଦ୍ରରେ ହୋଇଥିବା ଟିକାକରଣରେ ୧୬ହଜାର ୭୫୫ଜଣ ନିୟୋଜିତ ହୋଇଥିଲେ । ସଂଧ୍ୟା ସାଢେ ୫ଟା ସୁଦ୍ଧା ୧ଲକ୍ଷ ୬୫ହଜାର ୭୧୪ଜଣଙ୍କୁ ଟିକା ଦିଆଯାଇଛି । ୧୧ଟି ରାଜ୍ୟରେ କୋଭିସିଲ୍ଡ ଓ କୋଭାକ୍ସିନ ଦୁଇଟି ଯାକ ଟିକା ଦିଆଯାଇଥିବା ବେଳେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକରେ କେବଳ କୋଭିସିଲ୍ଡ ଟିକା ଦ୍ୱାରା ଟିକାକରଣ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ସେହିଭଳି ଓଡିଶାରେ ଗତକାଲି ପ୍ରଥମ ଦିନରେ ୮୫ ପ୍ରତିଶତରୁ ଅଧିକ କୋଭିଡ ଟିକାକରଣ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ କରୋନା ଟିକା ବା ମହୌଷଧୀ ଦିଆଯାଇଛି । ରାଜ୍ୟର ୧୬୧ଟି ଟିକାକରଣ କେନ୍ଦ୍ରରେ ସଫେଇ କର୍ମୀଚାରୀ, ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନୱାଡିଙ୍କୁ ଟିକା ଦିଆଯାଇଛି । ତେବେ ଆଜି ରାଜ୍ୟରେ ଟିକାକରଣ ବନ୍ଦ ରଖାଯିବ । ମୁଖ୍ୟତଃ ଏହି ପ୍ରଥମ ଦିନ ଟିକା କରଣ ବ୍ୟବସ୍ଥାର ସମୀକ୍ଷା କରାଯିବ ଏବଂ ସୋମବାରଠାରୁ ଏହି କାର୍ଯ୍ୟକ୍ରମ ପୁଣି ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ଧାରିତ ସମସ୍ତ ତାଲିକାଭୁକ୍ତ ଟିକା ଗ୍ରହଣକାରୀଙ୍କୁ ଟିକା ଦେବା ଶେଷ ହେବାଯାଏଁ ଏହି କାର୍ଯ୍ୟକ୍ରମ ଜାରି ରହିବ ।