ଅଲିମ୍ପିକ୍ସ ଯିବା ପାଇଁ ବନ୍ଧା ପକେଇଦେଇଥିଲେ ନିଜ ଘର, ଆଉ ଭାରତ ପାଇଁ ଜିତିଥିଲେ ପ୍ରଥମ ଅଲିମ୍ପିକ୍ସ ପଦକ । ସ୍ୱାଗତ ପାଇଁ ଆସିଥିଲା ୧୦୦ ଶଗଡ ।

300

କନକ ବ୍ୟୁରୋ: ଅଲିମ୍ପିକ୍ସରେ ସବୁବେଳେ ବିଦେଶୀ ଖେଳାଳି ଜଲୱା ଦେଖିବାକୁ ମିଳିଥାଏ । ଆମେରିକା, ସ୍ୱିଡେନ, ଇଟାଲି ଓ ଜାପାନ ଭଳି ଦେଶର ଖେଳାଳିମାନେ ପଦକ ଜିତିବାରେ ଖୁବ ମାହିର ଅଟନ୍ତି । ହେଲେ ଏହାରି ଭିତରେ ବି ଅଲମ୍ପିକ୍ସରେ ଇତିହାସ ରଚିଥାନ୍ତି ଭାରତୀୟ ଖେଳାଳି । ଆଜି ଆମେ ଅଲମ୍ପିକ୍ସର ଏମିତି ଜଣେ ଖେଳାଳିଙ୍କ କଥା କହିବୁ ଯିଏ ପ୍ରଥମଥର ପାଇଁ ଭାରତ ତରଫରୁ ଅଲିମ୍ପିକ୍ସ ପଦକ ହାସଲ କରିଥିଲେ । ଆଉ ଇତିହାସ ରଚିଥିଲେ ।

ଖାସାବା ଦାଦାସାହେବ ଯାଦବ, ଯାହାଙ୍କୁ ସମସ୍ତେ କେଡି ଯାଦବ ବୋଲି ଜାଣନ୍ତି । ଏହି ଖେଳାଳି ଅଲିମ୍ପିକ୍ସ୍ସରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିବା ବ୍ୟକ୍ତି । କେଡି ଯାଦବ ୧୯୫୨ ମସିହା ହେଲସିଙ୍କି ଅଲିମ୍ପିକ୍ସ୍ସରେ କୁସ୍ତି ଖେଳରେ ବ୍ରୋଞ୍ଚ ପଦକ ଜିତିଥିଲେ । ଏହାପୂର୍ବରୁ ଭାରତ କେବଳ ହକିରେ ହିଁ ପଦକ ଜିତି ଆସିଥିଲା । ହେଲେ ବ୍ୟକ୍ତିଗତ ଭାବେ ଭାରତକୁ ପ୍ରଥମ ପଦକ ଦେବାରେ ସଫଳ ହୋଇଥିଲେ କେଡି ଯାଦବ ।

କେଡି ଯାଦବଙ୍କ ଜନ୍ମ ୧୯୨୬ ମସିହା ମହାରାଷ୍ଟ୍ରର ସିତାରା ଜିଲ୍ଲାରେ ହୋଇଥିଲା । ତାଙ୍କ ବାପା ଦାଦାସାହେବ ନିଜେ ଜଣେ ପହିଲବାନ ଥିଲେ । ଛୋଟ ବେଳେ କେଡି ଯାଦବ ବହୁତ ଦୁର୍ବଳ ଦେଖାଯାଉଥିଲେ । ସେଥିପାଇଁ କଲେଜରେ ତାଙ୍କୁ କଲେଜ ଟିମର କୌଣସି ଖେଳରେ ସାମିଲ କରୁନଥିଲେ । ହେଲେ ମନୋବଳ ଦୃଢ ରଖି ସେ ନିଜ ଖେଳ ଜାରି ରଖିଥିଲେ ।

୧୯୪୮ ମସିହା ଲଣ୍ଡନ ଅଲମ୍ପିକ୍ସରେ ପ୍ରଥମ ଥର ପାଇଁ କେଡି ଯାଦବ ଚୟନ ହୋଇଥିଲେ । ଏହି ଅଲିମ୍ପିକ୍ସରେ ସେ ୬ଷ୍ଠ ସ୍ଥାନରେ ରହିଥିଲେ । ହେଲେ ସେଠାରୁ ଆସିବା ପରେ ସେ ହେଲେସିଙ୍କି ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଙ୍କ ବିଶ୍ୱାସ ଥିଲା ସେ ଭାରତ ପାଇଁ କିଛି କରି ଦେଖାଇବେ । ହେଲେ ସେଠାକୁ ଯିବାକୁ ତାଙ୍କ ପାଖରେ ଏତେ ଅର୍ଥ ନଥିଲା । ତେଣୁ ସେ ନିଜ ଘର ବନ୍ଧା ରଖି ଟଙ୍କା ଆଣିଥିଲେ । ଅଲିମ୍ପିକ୍ସର ଯାତ୍ରା ଆରମ୍ଭ କରିଥିଲେ ।

କେଡି ଯାଦବ କାନାଡ, ମେକ୍ସିକୋ ଓ ଜର୍ମାନୀର କୁସ୍ତି ଖେଳାଳିଙ୍କୁ ମାତ ଦେଇ ଫାଇନାଲ ରାଉଣ୍ଡରେ ପହଞ୍ଚିଥିଲେ । ଆଉ ସେଠାରେ ସୋଭିଏତ ସଂଘର ଖେଳାଳିଠାରୁ ହାରିଯାଇଥିଲେ । ଏହି ସମୟ ମଧ୍ୟରେ ତାଙ୍କୁ ବିଶ୍ରାମ କରିବାକୁ ମଧ୍ୟ ସମୟ ମିଳିନଥିଲା । ତେଣୁ ସେ ପୁଣି ଜାପାନର ସୋହାଚି ଇଚିଙ୍କ ସାମ୍ନା କରିଥିଲେ ଆଉ ହାରିଯାଇଥିଲେ । ଆଉ ବ୍ରୋଞ୍ଚ ପଦକରେ ହିଁ ସୀମିତ ରହିଥିଲେ ।

ଅଲମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିବା ପରେ ତାଙ୍କୁ ଗାଁରେ ଭବ୍ୟ ସ୍ୱାଗତ କରାଯାଇଥିଲା । ରେଲୱେ ଷ୍ଟେସନରେ ତାଙ୍କ ସ୍ୱାଗତ ପାଇଁ ୧୦୦ ବଳଦ ଗାଡି ଆସିଥିଲା । କେଡି ଯାଦବଙ୍କୁ ୧୯୫୫ରେ ମୁମ୍ବାଇ ପୋଲିସରେ ସବ-ଇନ୍ସପେକ୍ଟର ଭାବେ ନିଯୁକ୍ତି ମିଳିଥିଲା । ଆଉ ୬ ମାସ ପାଇଁ ଆସିଷ୍ଟାଣ୍ଟ ପୋଲିସ କମିଶନର ମଧ୍ୟ ରହିଥିଲେ । ୧୯୮୪ ମସିହାରେ ଏହି ବିଶିଷ୍ଟ ଖେଳାଳିଙ୍କ ମୃତ୍ୟୁ ହୋଇଥିଲା । ହେଲେ ତାଙ୍କ ଅଲିମ୍ପିକ୍ସ୍ସରେ ତାଙ୍କ ଇତିହାସକୁ ଆଜି ବି ଭାରତ ମନେ ରଖିଛି ।