ବିଧାନସଭାରେ ଶୁଭିଲା ବିଜେଡି-ବିଜେପି ଭାଇ-ଭାଇ । ଗୃହରେ ନାରା ଲଗାଇଲା,ବାଚସ୍ପତିଙ୍କ ସହ ଯୁକ୍ତିତର୍କ କଲା କଂଗ୍ରେସ ।

118

କନକ ବ୍ୟୁରୋ : ଷୋଡଷ ବିଧାନସଭାର ପ୍ରଥମ ଅଧିବେଶନ । ଆଉ ପ୍ରଥମ ଦିନରେ ହିଁ ଦେଖିବାକୁ ମିଳିଛି ଜୋରଦାର ହଙ୍ଗାମା । ଆଉ ଚିରାଚରିତ ଢଙ୍ଗରେ କଂଗ୍ରେସ ବିଧାୟକ କରିଛି ହଙ୍ଗାମା । ହେଲେ ଚୁପ୍ ବସିଥିଲା ମୁଖ୍ୟ ବିରୋଧୀ ଦଳ ବିଜେପି । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଅଧିବେଶନ । ଏଥିସହ ଦିବଂଗତ ନେତା ଓ ସହିଦଙ୍କୁ ଶ୍ରଦ୍ଧାଂଜଳି ପରେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ । ବିଜେଡି-ବିଜେପି ଭାଇ-ଭାଇ ବୋଲି ନାରା ବି ଲଗାଇଥିଲେ ।

ରାଜ୍ୟ ରାଜନୀତିର ପରିବର୍ତିତ ମାହୋଲ ଭିତରେ ସମସ୍ତଙ୍କର ଅପେକ୍ଷା ଥିଲା, ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ କେଉଁ ଦଳର ଅଭିମୁଖ୍ୟ କ’ଣ ରହିବ । ଆଉ ରାଜ୍ୟପାଳଙ୍କ ଅଭିଭାଷଣ ପରେ ପରେ ହିଁ ସାମ୍ନାକୁ ଆସିଯାଇଥିଲା ସେହି ଚିତ୍ର ଯାହା ଚିରାଚରିତ ଭାବରେ ବିଧାନସଭାରେ ଦେଖିବାକୁ ମିଳେ । ହଙ୍ଗାମା ଓ ହୋହାଲ୍ଲା । ଗୃହରେ ଆନୁଷ୍ଠାନିକ ଭାବେ ବିରୋଧୀ ଦଳ ନେତାଙ୍କ ନାଁ ଘୋଷଣା ହେବା ପୂର୍ବରୁ ବାଚସ୍ପତି, ପ୍ରଦୀପ୍ତ ନାୟକଙ୍କୁ ବିରୋଧୀ ଦଳ ନେତା ଭାବେ ସମ୍ବୋଧନ କରିବା ପରେ ଚିହିଁକି ଉଠିଥିଲା କଂଗ୍ରେସ ।

ଏହାରି ଭିତରେ ବିଜେଡି-ବିଜେପିର ସଂପର୍କକୁ ନେଇ ଗୃହର ମଧ୍ୟଭାଗରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ । ବିଜେଡି-ବିଜେପି ଭାଇଭାଇ ବୋଲି ନାରା ଦେଇ ହୋହାଲ୍ଲା କରିବା ସହ କକ୍ଷତ୍ୟାଗ କରିଥିଲେ କଂଗ୍ରେସ ବିଧାୟକ । ଆଉ ଆଶ୍ଚର୍ଯ୍ୟଜନକ ଭାବରେ ବିଜେପି ବିଧାୟକ ଗୃହରେ ଏକଦମ୍ ଶାନ୍ତ ଥିବା ନଜରକୁ ଆସିଥିଲେ । ୧୦ରୁ ୨୩ ବିଧାୟକ ଜିତି ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିବା ବିଜେପି ସଦସ୍ୟଙ୍କ ସେହି ଆଭିମୁଖ୍ୟ ଦେଖିବାକୁ ମିଳିନଥିଲା, ଯାହା ପଂଚଦଶ ବିଧାନସଭାର ପ୍ରଥମ ଅଧିବେଶନରେ ଦେଖିବାକୁ ମିଳିଥିଲା

ଏସବୁ ଭିତରେ ବିଧାନସଭା ଗୃହରେ ବିଜେପି ସଦସ୍ୟଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । କାନ୍ଧରେ ହଳଦିଆ ରଙ୍ଗର ଉତରିୟ ପକାଇ ଗୃହରେ ନଜର ଆସିଥିଲେ ବିଜେପି ବିଧାୟକ । ଅନ୍ୟପଟେ ନୂଆକରି ବିଧାନସଭାକୁ ନିର୍ବାଚିତ ହୋଇଥିବା ଅନେକ ବିଧାୟକଙ୍କୁ ମୁଣ୍ଡିଆ ମାରି ଗୃହକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା ।ଦିବଙ୍ଗତ ନେତା ଏବଂ ସହିଦ ଯବାନଙ୍କ ଶ୍ରଦ୍ଧାଳି ପରେ ପରେ ଆରମ୍ଭ ହୋଇଥିଲା ବିଧାନସଭାର ପ୍ରଥମ ଦିନ ।