ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ନିଆଁ ଲଗାଇଦେଲେ ଦୁର୍ବୃତ ! ହୁତୁହୁତୁ ହୋଇ ଜଳିଲା ସମ୍ବଲପୁର ବୋର୍ଡ ଅଫିସ

179

କନକ ବ୍ୟୁରୋ : ସମ୍ବଲପୁର ବୋର୍ଡ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ । ଏଥିରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର ପୋଡି ପାଉଁଶ ହୋଇଯାଇଛି । ଦୁର୍ବୃତମାନେ ଗାଡିରେ ବି ନିଆଁ ଲଗାଇଦେଇଛନ୍ତି । କିଏ ଏବଂ କାହିଁକି ବୋର୍ଡ ଅଫିସରେ ନିଆଁ ଲଗାଇଛି ସେନେଇ ପୋଲିସ ତଦନ୍ତ କରୁଛି ।

ଜଳିଯାଇଛି ଛାତ୍ରଛାତ୍ରୀଙ୍କ ଫର୍ମ । ପାଉଁଶ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ବାଇକ୍, କମ୍ପ୍ୟୁଟର ଓ ଅଫିସ ଆସବାବପତ୍ର ପୋଡି ଛାରଖାର ହୋଇଯାଇଛି । ଅଙ୍ଗାର ପାଲଟିଯାଇଛି ସମ୍ବଲପୁର ବୋର୍ଡ ଅଫିସ । ୩ଟି ରୁମ ସମ୍ପୂଣ୍ଣ ଜଳିଯାଇଛି । ନିଆଁରୁ କିଛି ବି ବର୍ତିପାରିନି । ଚାରିଆଡେ ଧୂଆଁ ଆଉ ତାଭିତରେ ଚାଲିଛି ଉଦ୍ଧାର କାମ ।

ଦିନ ପ୍ରାୟ ୨ଟା । ସମ୍ବଲପୁର ବୋର୍ଡ ଅଫିସ । ସପ୍ଲିମେଣ୍ଟାରୀ ପରୀକ୍ଷାର ଫର୍ମ ପୂରଣ ପାଇଁ ଆଜି ଥିଲା ଶେଷ ତାରିଖ । ପିଲାମାନେ ବୋର୍ଡ ଅଫିସରେ ଫର୍ମ ପୂରଣ କରୁଥିଲେ । ହଠାତ୍ ଦୁଇଟି ବାଇକରେ ୫-୬ ଜଣ ଦୁର୍ବୃତ ଆସି ତୁରନ୍ତ ଅଫିସ ବନ୍ଦ କରିବାକୁ ଧମକ ଦେଇଥିଲେ । ବ୍ୟାପକ ଭଂଗାରୁଜା କରିବା ସହ ଦୁଇଟି ଗାଡି ଜାଳିଦେଇଥିଲେ । ପରେ ଅଫିସରୁ ଲୋକଙ୍କୁ ବାହାର କରି ଭିତରେ ବି ନିଆଁ ଲଗାଦେଇଥିଲେ ।

ସମ୍ବଲପୁର ବୋର୍ଡ ଅଫିସରେ ଦୁର୍ବୃତଙ୍କ ନିଆଁ ଲଗାଇବା ଘଟଣାକୁ ନେଇ ସହରରେ ଚାଂଚଲ୍ୟ ଖେଳିଯାଇଛି । ତେବେ କିଏ ଏବଂ କାହିଁକି ବୋର୍ଡ ଅଫିସରେ ନିଆଁ ଲଗାଇଛି, ସେନେଇ ତଦନ୍ତ କରୁଛି ପୋଲିସ ।