ତାମିଲନାଡୁର ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ୧୧ ମୃତ , ଅନେକ ଆହତ

130

କନକ ବ୍ୟୁରୋ : ତାମିଲନାଡୁର ଭୀରୁଧୁନଗରରେ ଥିବା ଏକ ବାଣ କାରଖାନାରେ ଶୁକ୍ରବାର ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୧ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଜି କୌଣସି କାରଣରୁ ଏହି ବାଣ କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ଆଗରୁ ପୁରା କାରଖାନା ନିଆଁ ବଳୟ ଭିତରକୁ ଆସିଯାଇଥିଲା । ଫଳରେ କାରଖାନାରେ କାମ କରୁଥିବା ଲୋକମାନେ ବାହାରକୁ ବାହାରିବା ସମ୍ଭବ ହୋଇପାରି ନ ଥିଲା । ଖବର ପାଇ ଦମକଳ ଟିମ୍ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ସହ କାରଖାନା ଭିତରେ ଫଶି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ହେଲେ ଉଦ୍ଧାର ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ୧୪ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସିଭାକାସି ମେଡିକାଲରେ ଭର୍ତ୍ତି କରାଯାଇଛି ।
ବାଣ ତିଆରି ପାଇଁ କର୍ମଚାରୀ ମାନେ କିଛି ରାସାୟନିକ ପଦାର୍ଥ ମିଶ୍ରଣ କରୁଥିବା ବେଳେ ଏଭଳି ଅଗ୍ନିକାଣ୍ଡ ଘଟିଛି ବୋଲି ପୋଲିସ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛନ୍ତି । ସେପଟେ ଖବର ଲେଖାହେବା ଯାଏ ଦମକଳ ଟିମ୍ ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।