କ୍ଲିନିକରେ ଲାଗିଲା ନିଆଁ: ଡାକ୍ତରଙ୍କ ସମେତ ୨ ପୁଅ ଝିଅ ଜୀବନ୍ତ ଦଗ୍ଧ, ପତ୍ନୀ ଓ ମା’ଗୁରୁତର

5,477

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲା ରେନିଗୁଣ୍ଟାରେ ଥିବା ଏକ କ୍ଲିନିକରେ ନିଆଁ ଲାଗିଗଲା । ଏଥିରେ ଡାକ୍ତରଙ୍କ ସହ ତାଙ୍କର ଦୁଇ ପୁଅ ଝିଅଙ୍କର ମୃତ୍ୟୁ ହୋଇଛି । ଡାକ୍ତରଙ୍କ ମା’ ଓ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସର ସୂଚନା ମୁତାବକ, ଡାକ୍ତର ରବିଶଙ୍କର ରେଡ୍ଡି ତଳ ଘରେ କ୍ଲିନିକ୍ କରି ରୋଗୀ ଦେଖୁଥିଲେ । ମଝି ଓ ଉପର ମହଲାରେ ତାଙ୍କର ପରିବାର ରହୁଥିଲେ । ରବିବାର ଭୋର ପାଖାପାଖି ୩.୩୦ଟାରୁ ୪ଟା ମଧ୍ୟରେ ପରିବାର ଲୋକେ ଶୋଇଥିବାବେଳେ ତଳ ମହଲାରେ ନିଆଁ ଲାଗିଯାଇଥିଲା । ନିଆଁ ସର୍ଟସର୍କିଟ୍ ଯୋଗୁଁ ଲାଗିଥିବା ଅନୁମାନ କରାଯାଉଛି ।
ତେବେ ଗଭୀର ନିଦରେ ଥିବାରୁ ନିଆଁ ଲାଗିଥିବା ଘର ଲୋକେ ଜାଣିପାରିନଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଓ ଦମକଳ ତୁରନ୍ତ ସେଠାରେ ପହଞ୍ଚିଥିଲେ ବି ଉଦ୍ଧାର କରିବା ବେଳେକୁ ଡାକ୍ତର ରବିଶଙ୍କର ଓ ତାଙ୍କ ୨ ପୁଅ ଝିଅ ପ୍ରାଣ ହରାଇସାରିଥିଲେ । ଏବଂ ତାଙ୍କୁ ପତ୍ନୀ ଓ ମା’ ଗୁରୁତର ହୋଇଯାଇଥିଲେ ।