ବଜ୍ରପାତ ଯୋଗୁଁ ଝାରସୁଗୁଡା ବିମାନବନ୍ଦର ରନୱେ ନିକଟରେ ଲାଗିଲା ନିଆଁ । ୨୦ ମିନିଟ୍ ହୁତୁହୁତ ହୋଇ ଜଳିବା ପରେ ଲିଭଲା ନିଆଁ ।

242

କନକ ବ୍ୟୁରୋ : ବଜ୍ରପାତରେ ଚାଳଘର, ବଡ ବଡ ଗଛ ଜଳିଯାଇଥିବାର ଅନେକ ନଜିର ରହିଛି । କିନ୍ତୁ ବଜ୍ରପାତରେ ଏବେ ରନୱେରେ ନିଆଁ ଲାଗିଛି । ଏଭଳି ଘଟଣା ଝାରସୁଗୁଡା ବିମାନବନ୍ଦରରେ ଦେଖିବାକୁ ମିଳିଛି । ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ରନୱେ ନିକଟରେ ଗୁରୁବାର ରାତି ନିଆଁ ଲାଗିଥିବା ସୂଚନା ମିଳିଛି। ବଜ୍ରପାତ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି। ଅଗ୍ନିକାଣ୍ଡ ପରେ ୩ଟି ଦମକଳ ଗାଡ଼ି ଦ୍ଵାରା ନିଆଁ ଆୟତ୍ତ କରାଯାଇଛି। ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁସାରେ ବଜ୍ରପାତ ଯୋଗୁଁ ଆଜି ରାତି ପ୍ରାୟ ୮ଟା ୩୦ରେ ରନେଓ୍ଵ ନିକଟରେ ହଠାତ ନିଆଁ ଲାଗିଥିଲା। ନିଆଁ ଲାଗିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତରଫରୁ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଏହା ପରେ ବିମାନବନ୍ଦରର ୨ଟି ଓ ଝାରସୁଗୁଡ଼ାର ଗୋଟିଏ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ୨୦ ମିନିଟ ସମୟ ଲାଗିଥିଲା। ନିଆଁ ଲିଭିଯିବା ପରେ ହାଇଦ୍ରାବାଦ୍-କୋଲକାତା ବିମାନ ‘ସ୍ପାଇସ୍ଜେଟ୍ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିଥିଲା ବୋଲି କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି।