ଭୁବନେଶ୍ୱରରେ ଶିଖ୍ ଯୁବକଙ୍କୁ ପୁଲିସ୍ ଉପସ୍ଥିତିରେ ଆକ୍ରମଣ ଘଟଣା । ଥାନାକୁ ଗଲା ମାମଲା, ନିଲମ୍ବିତ ହେଲେ ପିସିଆର ଭାରପ୍ରାପ୍ତ ଅଧିକାରୀ । ଅଭିଯୁକ୍ତଙ୍କୁ ଚହ୍ନଟ କରି ଖୋଳତାଡ଼ ଆରମ୍ଭ କଲା ପୋଲିସ୍

235

କନକ ନ୍ୟୁଜର ବଡ ପ୍ରଭାବ: ରାଜଧାନୀ ରାଜରାସ୍ତାରେ ଶିଖ୍ ଯୁବକଙ୍କୁ ଲାଇଭ୍ ମାଡ ଘଟଣା, କନକ ନ୍ୟୁଜରେ ଲାଇଭ୍ ଦାଦାଗିରିର ଘଟଣା ପ୍ରସାରଣ ପରେ ହେଲା କାର୍ଯ୍ୟାନୁଷ୍ଠାନ । ଲକ୍ଷ୍ମୀସାଗର ଥାନାରେ ରଜୁ ହେଲା ମାମଲା । ଚହ୍ନଟ ହୋଇଛନ୍ତି ବିଚ୍ ରାସ୍ତାରେ ଦାଦାଗିରି କରିଥିବା ଅଭିଯୁକ୍ତ । ସେନେଇ ଅଧିକ ତଦନ୍ତ ଜାରି ରଖିଛି ଲକ୍ଷ୍ମୀସାଗର ଥାନା ପୋଲିସ୍ । ସେପଟେ ଦେଖଣାହାରୀ ସାଜିଥିବା ପିସିସିଆର ଭ୍ୟାନର ଭାରପ୍ରାପ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।

ତେବେ ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ପୁଲିସ ଉପସ୍ଥିତିରେ ଦାଦାଗିରି ଦେଖିବାକୁ ମିଳିଥିଲା । ଜଣେ ବ୍ୟକ୍ତିଙ୍କୁ ପୋଲିସ ଉପସ୍ଥିତିରେ ୫ରୁ ୬ଜଣ ଦୁବୃର୍ତ ମିଳିତ ଭାବେ ଆକ୍ରମଣ କରିଥିବା ସିସିଟିଭି ଦୃଶ୍ୟ ବି କ୍ୟାମେରାରେ କଏଦ ହୋଇଥିଲା । ଦିନଦ୍ୱିପ୍ରହରରେ ପୁଲିସ ଉପସ୍ଥିତିରେ ଆକ୍ରମଣ ପରେ ଚାଲିଥିଲା ଆକ୍ରମଣ । ପିସିଆର ଭ୍ୟାନ ମଧ୍ୟ ପହଁଚି ଦେଖଣାହାରୀ ସାଜିଥିବା ଘଟଣା ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରବିନ୍ଦର ପାଲ୍ ସିଂ ବୋଲି ପରେ ଜଣାପଡ଼ିଥିଲା ।

ସୂଚନା ମୁତାବକ, ପରବିନ୍ଦରଙ୍କ ଠାରୁ ୧୫ହଜାର ଟଙ୍କା ଏବଂ ଦାମି ଘଡି ଲୁଟ ହୋଇଥିବା ବି ଅଭିଯୋଗ ହୋଇଛି । ନିଜ ଝିଅକୁ ସ୍କୁଲରୁ ନେଇ ଆପାର୍ଟମେଂଟକୁ ଫେରୁଥିଲେ ପରବିନ୍ଦର । ରାସ୍ତା ଅବରୋଧ କରିଥିବା ଅସାମାଜିକ ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଦୁବୃର୍ତମାନେ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ଧକ୍କା ମାରିଥିଲେ । ଭୟରେ ପରବିନ୍ଦର ସୋସାଇଟି ଭିତରକୁ ପଶି ପୋଲିସକୁ ଫୋନ କରିଥିଲେ । ପୋଲିସ ଆସି ପହଂଚିଥିଲା କିନ୍ତୁ ପୋଲିସ ଉପସ୍ଥିତିରେ ଏହି ଦୁବୃର୍ତମାନେ ତାଙ୍କୁ ଆକ୍ରମଣ କରିଚାଲିଥିଲେ । ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା, ଗିରଫ କରିବା ବଦଳରେ ପୁଲିସ ବାବୁ ବି ବେଶ ନିଷ୍କ୍ରୀୟ ପାଲଟି ଯାଉଥିବା ଦେଖିବାକୁ ମିଳିଥିଲା ।

ସେହି ଅପରାଧୀ ମାନଙ୍କ ସହ ଘଟଣାସ୍ଥଳରେ ହିଁ ପୁଲିସ କର୍ମଚାରୀ ଜଣକ ଅତି ହାଲୁକା ଓ ସ୍ୱାଭାବିକ ଆଚରଣ କରିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏଠି ପ୍ରଶ୍ନ ଉଠୁଛି ଯେ ପୁଲିସର ଯଦି ଏଭଳି ଆଚରଣ ରହେ ତେବେ କଣ ପୁଲିସ ପ୍ରତି ଅପରାଧୀଙ୍କର ଭୟ ରହିବ? ନା, ପୁଲିସ ଉପରେ ସାଧାରଣ ଲୋକ ଆସ୍ଥା ପ୍ରକଟ କରିପାରିବେ । ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଦିନ ଦ୍ୱିପ୍ରହରରେ ଅସାମାଜିକ ଯୁବକଙ୍କ ଗୁଣ୍ଡରାଜ । ଆଉ ଗୁଣ୍ଡଗର୍ଦ୍ଦି ପରେ ପୁଲିସ ଓ ଅପରାଧୀଙ୍କ ଆଚରଣ । ସବୁ କିଛି ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଛିଡା କରୁଛି । ହେଲେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଦେଖଣାହାରୀ ସାଜିଥିବା ଭାରପ୍ରାପ୍ତ ପିସିସିଆର ଭ୍ୟାନ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।