ଯୋଗ ଗୁରୁ ବାବା ରାମ ଦେବଙ୍କ ବିରୋଧରେ ଥାନାରେ ଏତଲା: ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ

285

କନକ ବ୍ୟୁରୋ: ଯୋଗ ଗୁରୁ ବାବା ରାମ ଦେବଙ୍କ ବିରୋଧରେ ଥାନାରେ ଏତଲ । ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ରାଜସ୍ଥାନର ଚୌହଟନ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି । ବାବାଙ୍କ ବିରୋଧରେ ଆଇପିସିର ଧାରା ୧୫୩-ଏ, ୨୯୫-ଏ, ଓ ୨୯୮ ଦଫାରେ ମାମଲା ରୁଜୁ କରାଯାଇଛି । ଫେବ୍ରୁଆରୀ ୨ତାରିଖରେ ରାଜସ୍ଥାନରେ ଆୟୋଜିତ ସନ୍ଥ ସମାଜ ବୈଠକରେ ଇସଲାମକୁ ନେଇ ଦେଇଥିବା ବିବାଦୀୟ ବୟାନ ଏବେ ଥାନାରେ ପହଁଚିଛି । ରାମଦେବ ହିନ୍ଦୁ ଧର୍ମ ସହ ଇସାଇ ଓ ଇସଲାମ ଧର୍ମକୁ ତୁଳନା କରିଥିଲେ ।

କହିଥିଲେ, ଇସଲାମ ଧର୍ମରେ କେବଳ ନମାଜ ପଢ଼ିବା ହିଁ ଏକ ଧାର୍ମିକ କାମ । ମୁସଲମାନମାନେ ନମାଜ ପଢ଼ିବା ପରେ ଯାହା କଲେ ଚଳିବ । ଏପରିକି ହିନ୍ଦୁ ଧର୍ମାବଲମ୍ବୀ ଯୁବତୀଙ୍କୁ ଉଠାଇ ନେବା, ଜିହାଦ ନାଁରେ ହିଂସାକାଣ୍ଡ ଘଟାଇଲେ ବି କୌଣସି ଅସୁବିଧା ନାହିଁ । ନମାଜ ପଢ଼ିଲେ ସେମାନଙ୍କ ପାଇଁ ଜନ୍ନତ ଯିବାର ବାଟ ଖୋଲିଯାଏ ବୋଲି ଧାର୍ମିକ ଗୁରୁ ଶିଖାଉଛନ୍ତି । ରାମଦେବ ବାବାଙ୍କ ଏହି ବୟ୍ରାନକୁ ନେଇ ସ୍ଥାନୀୟ ଅଂଚଳର ପଠାଇ ଖାନ ନାମକ ବ୍ୟକ୍ତି ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଛି ।