ଲଣ୍ଡନରେ ପଥଚାରୀଙ୍କ ଉପରେ ଭ୍ୟାନ୍ ମଡାଇଲେ ଦୁର୍ବୃତ ! ଜଣେ ମୃତ ୮ ଗୁରୁତର

24

କନକ ବ୍ୟୁରୋ: ଲଣ୍ଡନରେ ପଥଚାରୀଙ୍କ ଉପରେ ପୁଣି କାର୍ ମଡାଇଲେ ଦୁବୃର୍ତ । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳୁ ଉତ୍ତର ଲଣ୍ଡନସ୍ଥିତ ଫିନ୍ସବରୀ ପାର୍କ ନିକଟସ୍ଥ ଏକ ମସଜିଦ ନିକଟରେ ଏହି ଆକ୍ରମଣ ହୋଇଛି । ଆକ୍ରମଣରେ ଜଡିତ ଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଲଣ୍ଡନ ମେଟ୍ରୋପଲିଟାନ ପୁଲିସ୍ ।

ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକଙ୍କ କହିବା ଅନୁଯାୟୀ ମୁସଲିମ ଧର୍ମାବଲମ୍ବୀମାନେ ମସଜିଦରୁ ପ୍ରାର୍ଥନା ସାରି ଫେରିବା ସମୟରେ ଏକ ଭ୍ୟାନ୍ ଦ୍ରୁତ ଗତିରେ ସେମାନଙ୍କ ଉପରକୁ ମାଡି ଆସିଥିଲା । ଏହାଦ୍ୱାରା କିଛି ଲୋକ ଆହତ ହୋଇଛନ୍ତି । ଭୟରେ ଅନ୍ୟମାନେ ବଡ଼ ଜୋରରେ ଚିତ୍କାର ମଧ୍ୟ କରିଥିଲେ । ତେବେ ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ସହାୟତାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବଂ ପୁଲିସ ଘଟଣାସ୍ଥଳରେ ପହଁଛି ଅନୁସନ୍ଧାନ ଜାରି ରଖିଛି ।

ଗତ କିଛି ମାସ ହେବ ଲଣ୍ଡନରେ ବାରମ୍ବାର ଏହିଭଳି ଆକ୍ରମଣ ଘଟୁଛି । ଜୁନ୍ ୩ ତାରିଖରେ ଲଣ୍ଡନବ୍ରିଜ୍ ଉପରେ ଏହିଭଳି ଆକ୍ରମଣ ଘଟିଥିଲା । ଲୋକମାନେ ଚାଲିଚାଲି ଯାଉଥିବା ସମୟରେ ଆତଙ୍କବାଦୀ ଅଚାନକ ସେମାନଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲା । ଏଥିରେ ୮ଜଣ ମୃତ୍ୟୁବରଣ କରିଥିଲେ ଓ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ ।