ଲକଡାଉନ୍ ଓ ସଟଡାଉନ୍ ପାଇଁ ଅନେକ ଥର ଆର୍ଥିକ ସ୍ଥରରେ ଦୁର୍ବଳ ହୋଇଛି ଦେଶ : ଅର୍ଥନୈତିକ ବିଶେଷଜ୍ଞଙ୍କ ମତ, ଆର୍ଥିକ ସ୍ଥିତିକୁ ସୁଦୃଢ଼ ପାଇଁ ଲୋକଙ୍କ ପକେଟକୁ ଦିଆଯାଉ ଟଙ୍କା

ଅର୍ଥମନ୍ତ୍ରୀ କହିଲେ, ଛପାଯିବ ନାହିଁ ଅଧିକ ଟଙ୍କା

203

କନକ ବ୍ୟୁରୋ : କରୋନା ସମୟରେ ଦେଶର ଆର୍ଥିକ ଅବସ୍ଥା ରସାତଳଗାମୀ ହୋଇଛି । ଲକଡାଉନ ଓ ସଟଡାଉନ ଯୋଗୁଁ ଅନେକ ଲୋକ ରୋଜଗାର ହରାଇଛନ୍ତି,ଅନେକ ଲୋକ ଗରିବ ହୋଇଛନ୍ତି । ଏହି ସମୟରେ ଅନେକ ବିଶେଷଜ୍ଞ ପୂର୍ବରୁ ମତ ଦେଇଛନ୍ତି ଯେ ଦେଶରେ ଲୋକଙ୍କ ପକେଟକୁ ପଇସାଯିବା ଦରକାର ।

ଲୋକେ ଟଙ୍କା ଖର୍ଚ୍ଚ କଲେ ଯାଇ ଦେଶର ଆର୍ଥିକ ଅବସ୍ଥା ସୁଧୁରି ପାରିବ ବୋଲି ମଧ୍ୟ ମତାମତ ଦିଆଯାଇଥିଲା । ଅର୍ଥନୀତିରେ ନୋବେଲ ଜିତିଥିବା ଅଭିଜିତ ବାନାର୍ଜୀ ମଧ୍ୟ ମତ ଦେଇଥିଲେ ଯେ ଦେଶରେ ଲୋକଙ୍କ ପଖକୁ ନଗଦ ଟଙ୍କା ସରକାରଙ୍କ ତରଫରୁ ଦେବା ଦରକାର । କେନ୍ଦ୍ର ସରକାର ଯଥାଶୀଘ୍ର ଆରବିଆଇ ସହଯୋଗରେ ଟଙ୍କା ଛପାଇବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ଅନେକ ବିଶେଷଜ୍ଞ ମତ ଦେଇଥିଲେ । ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ମଧ୍ୟରେ କେନ୍ଦ୍ର ସରକାର ଟଙ୍କା ଛପାଇବା ଦରକାର ବୋଲି ମତ ଦେଇଥିଲେ । ତେବେ କେନ୍ଦ୍ରସରକାରଙ୍କ ତରଫରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନଥିଲା ।

ଦେଶରେ ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ଏହାର ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ଦେଶରେ ଏହି ସମୟରେ ଟଙ୍କା ଛପାଇବାର କୌଣସି ଆବଶ୍ୟକତା ନାହିଁ । କରୋନା ଯୋଗୁଁ ଦେଶର ଆର୍ଥିକ ସ୍ଥିତି ବିଗିଡିଥିଲା । କିନ୍ତୁ ଧିରେ ଧିରେ ଦେଶ ଖୋଲୁଛି ଓ ଆର୍ଥିକ ସ୍ଥିତି ସୁଧୁରୁଛି । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ଦେଶର ଅର୍ଥନୀତିକୁ ଟ୍ରାକକୁ ଆଣୁଛି । ଏହି ସମୟରେ ଦେଶରେ ନଗଦ ଟଙ୍କାର ଆବଶ୍ୟକତା ନାହିଁ । ତେବେ କେନ୍ଦ୍ର ସରକାରଙ୍କ ତରଫରୁ ୨୦୨୧ ମାର୍ଚ୍ଚରେ ଜଣାଯାଇଥିଲା ଯେ ଦେଶରେ ଗତ ଦୁଇ ବର୍ଷ ଧରି ୨୦୦୦ ଟଙ୍କା ନୋଟ ମଧ ଛପାଯାଇନାହିଁ ।