କେନ୍ଦ୍ର ଓ ଆରବିଆଇ ବିବାଦ ଭିତରେ ମନମୋହନଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ! କହିଲେ, ଅର୍ଥମନ୍ତ୍ରୀଙ୍କ ହାତରେ ଅଧିକ କ୍ଷମତା ।

219

କନକ ବ୍ୟୁରୋ : କିଏ ବଡ, ଅର୍ଥମନ୍ତ୍ରୀ ନା ଆରବିଆଇ ? କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ବିବାଦ ଚାଲିଥିବା ବେଳେ ଗତ କିଛି ଦିନ ଧରି ଏହି ପ୍ରଶ୍ନ ପ୍ରମୁଖ ପ୍ରସଙ୍ଗ ହୋଇ ଆସିଛି । ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କ ଉପରେ ଲିଖିତ ଏକ ପୁସ୍ତକରେ ଏନେଇ ମତ ଉଲ୍ଲେଖ ରହିଛି ।

ଆରବିଆଇ ଠାରୁ ଅର୍ଥମନ୍ତ୍ରୀଙ୍କ କ୍ଷମତା ଅଧିକ । ବିବାଦ ଭିତରେ ଆସିଲା ମନମୋହନଙ୍କ ମନ୍ତବ୍ୟ । କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମଧ୍ୟରେ ବିବାଦ ତେଜୁଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା । ଅର୍ଥମନ୍ତ୍ରୀ ଯଦି କିଛି ବିଷୟରେ ନିଷ୍ପତି ନେବାକୁ ଚାହାନ୍ତି, ତେବେ ତାହା କାର୍ଯ୍ୟକାରୀ ହେବା ଉଚିତ ବୋଲି ମନମୋହନଙ୍କ ମତ । ଝିଅ ଦମନ ସିଂହଙ୍କ ଲିଖିତ ୨୦୧୪ ମସିହାରେ ପ୍ରକାଶିତ ପୁସ୍ତକ “Strictly Personal: Manmohan and Gursharan”ରେ ଏଭଳି ମତ ରଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ।

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିବା ବେଳର ଅଭିଜ୍ଞତାକୁ ନେଇ ମନମୋହନ ସିଂହ କହିଛନ୍ତି, “ମୁଁ ସରକାରଙ୍କୁ ବିଶ୍ୱାସକୁ ନେଇ କାମ କରୁଥିଲି । ଅର୍ଥମନ୍ତ୍ରୀଙ୍କ ଠାରୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ବଡ଼ ନୁହେଁ । ଯଦି ଅର୍ଥମନ୍ତ୍ରୀ କୌଣସି ନିଷ୍ପତି ନିଅନ୍ତି, ଗଭର୍ଣ୍ଣର ତାଙ୍କ ପଦବୀ ଛାଡ଼ି ଦେଇପାରନ୍ତି, କିନ୍ତୁ ତାକୁ ମନା କରିପାରିବେ ନାହିଁ ।”

ମନମୋହନ କହିଛନ୍ତି, ୧୯୮୩ରେ ବ୍ୟାଙ୍କଗୁଡିକୁ ଲାଇସେନସ ଦେବା ମାମଲାରେ ସରକାରଙ୍କ ସହ ତାଙ୍କର ମତାନ୍ତର ହୋଇଥିଲା । ଆରବିଆଇ ହାତରୁ ବ୍ୟାଙ୍କକୁ ଲାଇସେନସ ଦେବାର କ୍ଷମତା ଛଡ଼ାଇ ନେବାକୁ ସରକାର ଚାହୁଁଥିଲେ । ଏହା କେନ୍ଦ୍ରୀୟ ବ୍ୟାଙ୍କର କ୍ଷମତା ସଂକୁଚିତ କରୁଥିବାରୁ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜିଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଥିଲେ । ତେବେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ବୁଝାଇବାକୁ ସକ୍ଷମ ହେବା ପରେ ଏହି ଯୋଜନାରୁ ନିବୃତ ରହିଥିଲେ ସରକାର । ମନମୋହନଙ୍କ ଏପରି ମନ୍ତବ୍ୟ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଯେତେବେଳେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମଧ୍ୟରେ ମତାନ୍ତର ବୃଦ୍ଧି ପାଇବାରେ ଲାଗିଛି ।