ଫାଇନାନ୍ସ କିସ୍ତି ଦେଇପାରିଲେନି  ବୋଲି… ଦିବ୍ୟାଙ୍ଗ ଚାଷୀଙ୍କ ଗର୍ଭବତୀ ଝିଅକୁ ଟ୍ରାକ୍ଟର ଚଢାଇ ହତ୍ୟା କଲେ ଫାଇନାନ୍ସ ଏଜେଣ୍ଟ ।

957

କନକ ବ୍ୟୁରୋ: ଫାଇନାନ୍ସ କମ୍ପାନୀଠାରୁ ଋଣ ନେବା ଦିବ୍ୟାଙ୍ଗ ଚାଷୀଙ୍କ ଉପରେ ମହଙ୍ଗା ପଡିଲା । ୠଣ ନେଇ ସୁଝିପାରିଲେନି ବୋଲି ଚାଷୀଙ୍କ ଗର୍ଭବତୀ ଝିଅକୁୁ ଟ୍ରାକ୍ଟର ଚଢାଇ ହତ୍ୟା କଲେ କମ୍ପାନୀ ଏଜେଣ୍ଟ । ଏଭଳି ଦୟନୀୟ ଘଟଣା ଘଟିଛି ଝାଡଖଣ୍ଡ ହଜାରିବାଗ ଜିଲ୍ଲା ଇଚାକ୍ ଅଞ୍ଚଳରେ ।

ସୂଚନା ମୁତାବକ, ହଜାରିବାଗ୍ ଇଚାକର ଦିବ୍ୟାଙ୍ଗ ଚାଷୀ ମିଥିଲେଶ ଠାକୁର ମହିନ୍ଦ୍ରା ଫାଇନାନ୍ସ କମ୍ପାନୀଠାରୁ ଋଣ ନେଇ ଟ୍ରାକ୍ଟର କିଣିଥିଲେ । ଭାବିଥିଲେ ଟ୍ରାକ୍ଟରକୁ ନିଜ ଜମିରେ ବ୍ୟବହାର କରିବା ସହ ଭଡାରେ ଦେଇ କିଛି ଅର୍ଥ ରୋଜଗାର କରିବେ । ପରିବାରର ଆର୍ଥିକ ଅବସ୍ଥା ସୁଧୁରି ଯିବ । ହେଲେ ସେମିତି କିଛି ହେଲା ନାହିଁ । ଲାଭ ବଦଳରେ କ୍ଷତି ହୋଇଥିଲା । ଫଳରେ ଋଣ କିସ୍ତି ପଇସା ଦେଇପାରିନଥିଲେ ମିଥିଲେଶ । ଫଳରେ ଟ୍ରାକ୍ଟର ଜବତ କରିବାକୁ ଆସିଲେ ଫାଇନାନ୍ସ କମ୍ପାନୀର ଏଜେଣ୍ଟ । ଏହି ସମୟରେ ଟ୍ରାକ୍ଟର ରୋକିବାକୁ ଚେଷ୍ଟା କରିଥିଲେ ଚାଷୀଙ୍କ ଗର୍ଭବତୀ ଝିଅ ମୋନିକା ଠାକୁର । ହେଲେ ତାଙ୍କୁ ଟ୍ରାକ୍ଟର ଚଢାଇଦେଇଥିଲେ ଏଜେଣ୍ଟ ଜଣକ ।  ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ମୋନିକା ୩ ମାସର ଗର୍ଭବତୀ ଥିଲେ ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ହଜାରିବାଗ୍ ଏସପି ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।