ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଗୁଡେଇ ତୁଡେଇ ପ୍ରଶ୍ନ କଲେ ଇଡି ଅଧିକାରୀ । କାଲି ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି 

147

କନକ ବ୍ୟୁରୋ: ଶେଷରେ ଇଡିରେ ହାଜର ହୋଇଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଅର୍ଚ୍ଚନା ହନିଟ୍ରାପ୍ ଓ ବ୍ଲାକମେଲିଂ ମାମଲାରେ ବ୍ୟକ୍ତିଗତ ଭାବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି । ଶ୍ରଦ୍ଧାଞ୍ଜଳିଙ୍କ ସହ ତାଙ୍କର କଣ ଥିଲା ସମ୍ପର୍କ? କିପରି ତାଙ୍କୁ ବ୍ଲାକମେଲ କରାଯାଉଥିଲା? ଅର୍ଚ୍ଚନାଙ୍କ ଭୂମିକା ଏଥିରେ କଣ? ବ୍ଲାକମେଲ ପରେ ଅର୍ଚ୍ଚନାଙ୍କୁ କେତେ ଟଙ୍କା ଦେଇଛନ୍ତି? ଏଭଳି ଅନେକ ପ୍ରଶ୍ନର ଜବାବ ରଖିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ସେପଟେ ଆସନ୍ତାକାଲି ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି ଇଡି । ତେବେ ଶ୍ରଦ୍ଧାଞ୍ଜଳି ହେଉଛନ୍ତି ସେହି ଯୁବତୀ ଯାହାଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କୁ ବାନ୍ଧିଥିଲା ପୋଲିସ ।

  • ଇଡିରେ ହାଜରେ ହେଲେ ଅକ୍ଷୟ ପରିଜା 
  • ବୁଧବାର ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି 

ଛକାପଞ୍ଝା ପରେ ଶେଷରେ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ହନିଟ୍ରାପ୍, ବ୍ଲାକମେଲିଂ ଓ ମନିଲଣ୍ଡରିଂ ମାମଲାରେ ସେ ବ୍ୟକ୍ତିଗତ ଭାବେ ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି  । ପୂର୍ବଥର ହାଜର ହୋଇନଥିଲେ । କିନ୍ତୁ ଇଡିର କଡା ତାଗିଦ ପରେ ମଙ୍ଗଳବାର ହାଜର ହୋଇଛନ୍ତି ଅକ୍ଷୟ ପରିଜା । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଇଡି ଅଧିକାରୀମାନେ ଅକ୍ଷୟ ପରିଜାଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଛନ୍ତି ।

  1. ଶ୍ରଦ୍ଧାଞ୍ଜଳିଙ୍କ ସହ ତାଙ୍କର କି ପ୍ରକାର ସମ୍ପର୍କ ଥିଲା? 
  2. ଶ୍ରଦ୍ଧାଞ୍ଜଳିଙ୍କୁ କେବେଠାରୁ ଓ କେମିତି ଜାଣିଥିଲେ? 
  3. ତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କିଏ ସୁଟିଂ କରିଥିଲା? 
  4. ଭିଡିଓ ସୁଟିଂ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ବ୍ଲାକମେଲିଂ କରିଥିଲେ କି? 
  5. ଅଶ୍ଳୀଳ ଭିଡିଓ ଭାଇରାଲ ଭୟ ଦେଖାଇ କିଏ ଟଙ୍କା ମାଗିଥିଲେ? 
  6. କେତେ ଟଙ୍କା ମାଗିଥିଲେ?  
  7. ଅର୍ଚ୍ଚନାଙ୍କୁ କେମିତି ଜାଣିଥିଲେ, କେବେ ଭେଟିଥିଲେ କି? 
  8. ଶ୍ରଦ୍ଧାଞ୍ଜଳିଙ୍କୁ କିଛି  ଟଙ୍କା ଦେଇଥିଲେ କି? 

ଅର୍ଚ୍ଚନାଙ୍କ ନାଗଫାଶର ଗୁମର ଖୋଜୁଥିବା ଇଡି ଅଧିକାରୀମାନେ ଅକ୍ଷୟ ପରିଜାଙ୍କୁ ଏମିତି ଏକାଧିକ ପ୍ରଶ୍ନ ପଚାରିଥିବା ଜଣାପଡିଛି ।

ଅକ୍ଷୟ ପରିଜା ହାଜର ହେବା ପରେ ଏବେ ନଜର ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଉପରେ । ଅକ୍ଷୟ ହାଜର ହେଲେ ଶ୍ରଦ୍ଧାଞ୍ଜଳି କେବେ ହେବେ ହାଜର? ସୂଚନା ଅନୁସାରେ ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ସମନ କରିଛି । ବୁଧବାର ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରଦ୍ଧାଞ୍ଜଳି ହେଉଛନ୍ତି ସେହି ଯୁବତୀ ଯାହାଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କୁ ବାନ୍ଧିଥିଲା ପୋଲିସ । ସେ ଖଣ୍ଡଗିରି ଥାନାରେ ଦେଇଥିବା ଏତଲା ଆଧାରରେ ପୋଲିସ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଓ ଅନ୍ୟମାନଙ୍କ ବିରୋଧରେ ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ମାମଲା ରୁଜୁ କରିଥିଲା । ହେଲେ, ଏଫଆଇଆର ଦେବା ପରେ ସେ ଆଉ ସାମନାକୁ ଆସି ନାହାଁନ୍ତି  । ଏବେ ଗିରଫଦାରୀକୁ ଏଡ଼ାଇବାକୁ ଆଗୁଆ ହାଇକୋର୍ଟର ଦ୍ୱାରସ୍ତ ମଧ୍ୟ ହୋଇଛନ୍ତି  । ଯାହା ଅନେକ ସନ୍ଦେହ ସୃଷ୍ଟି କରିଛି ।

ଅର୍ଚ୍ଚନାଙ୍କ ନାଗଫାଶରେ ବହୁ ବ୍ୟବସାୟୀ, ନେତା, ଅଫିସର ପଡିଥିବା ଚର୍ଚ୍ଚା ଭିତରେ ସମନ ପାଇ ଇଡିରେ ହାଜର ହୋଇଛନ୍ତି ବ୍ୟବସାୟୀ ଅମିୟ ଦାସ । ତାଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ପାଖକୁ ୭ଲକ୍ଷ ଟଙ୍କା ଯାଇଥିବା ସୂଚନା ପାଇଥିଲା ଇଡି । ଆଉ ଯାହାକୁ ଇଡି ଆଗରେ ସ୍ୱୀକାର କରିଛନ୍ତି ନିଜେ ଅମିୟ ।  ତେବେ ଆହୁରି ବହୁ ବଡ ବଡିଆ ଇଡି ସ୍କାନରରେ ଥିବାବେଳେ ତେରଛା ବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅର୍ଚ୍ଚନା ମାମଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ଦେଖ ଆଗକୁ କଣ ହେଉଛି ।