ସିବିଆଇ ପଂଝାରେ ବେଙ୍ଗଲୀ ସିନେମା ପ୍ରଯୋଜକ ! ରୋଜଭାଲି ଚିଟଫଣ୍ଡ ଟଙ୍କାରେ ସିନେମା କରିବା ପଡିଲା ମହଙ୍ଗା, କୋର୍ଟରେ ହାଜର ହେଲେ ଶ୍ରୀକାନ୍ତ ମୋହତା ।

81

କନକ ବ୍ୟୁରୋ : ମହଙ୍ଗା ପଡିଛି ଚିଟଫଣ୍ଡ ଟଙ୍କାରେ ବେଙ୍ଗଲି ଫିଲ୍ମ ନିର୍ମାଣ । ରୋଜ ଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ବନ୍ଧା ହେଲେ ଆଉ ଜଣେ ଫିଲ୍ମ ନିର୍ଦ୍ଦେଶକ । ଭେଙ୍କଟେସ୍ ଫିଲ୍ମ ନିର୍ଦ୍ଦେଶକ ଶ୍ରୀକାନ୍ତ ମୋହତାଙ୍କୁ ଗତକାଲି ଦକ୍ଷିଣ କଲିକତାର କସବା ସ୍ଥିତ ତାଙ୍କ ଅଫିସରୁ ଗିରଫ କରିଛି ସିବିଆଇ । ଚିଟଫଣ୍ଡ ଟଙ୍କାରେ ଫିଲ୍ମ ନିର୍ମାଣ କରିଥିବା ଅଭିଯୋଗରେ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି ପୁଲିସ । ରୋଜଭ୍ୟାଲି କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡୁଙ୍କ ଠାରୁ ଶ୍ରୀକାନ୍ତ ପ୍ରାୟ ୨୫ କୋଟି ଟଙ୍କା ନେଇ ଫିଲ୍ମରେ ଲଗାଇଛନ୍ତି । ପୂର୍ବରୁ ହାଜର ପାଇଁ ଶ୍ରୀକାନ୍ତଙ୍କୁ ସିବିଆଇ ଅନେକ ଥର ସମନ କରିଥିଲେ ସୁଦ୍ଧା ସେ ଏହାକୁ ଅଣଦେଖା କରିଥିଲେ ।

ଗତକାଲି ସିବିଆଇ ଅଫିସର ମାନେ ପ୍ରଥମେ ଶ୍ରୀକାନ୍ତଙ୍କ ଘରେ ପହଂଚିଥିଲେ । ସେଠାରେ ତାଙ୍କୁ ନପାଇ ଦିନ ସାଢେ ୧୧ଟା ସୁଦ୍ଧା କସବା ସ୍ଥିତ ଶ୍ରୀକାନ୍ତ ମେହତାଙ୍କ ଅଫିସରେ ପହଂଚି ଥିଲେ । ସେଠାରେ ସେ ତଦନ୍ତକାରୀ ଅଫିସରଙ୍କୁ ତଦନ୍ତରେ ସହଯୋଗ କରିନଥିଲେ । ଶେଷରେ ତାଙ୍କୁ ଗିରଫ କରି ଆଜି ସ୍ପେଶାଲ ସିଜେଏମ୍ କୋର୍ଟରେ ହାଜର କରାଯାଇଛି । ରୋଜଭ୍ୟାଲି ଗ୍ରୁପର ପୁଂଜି ସ୍କିମ୍ କମ୍ପାନୀ ପ୍ରାୟ ୧୫ ହଜାର କୋଟି ଟଙ୍କାର ଠକେଇ କରିଛି । ପଶ୍ଚିମବଙ୍ଗ, ଆସାମ ଓ ଓଡିଶାର ଲୋକଙ୍କ ଟଙ୍କା ଠକି ନେଇଛି । ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାର ତଦନ୍ତ ସିବିଆଇ ଜାରି ରଖିଛି ।