ଟିଭି ଷ୍ଟୁଡିଓରେ ହଙ୍ଗାମା ! ଏକ ଘରୋଇ ଟିଭି ଚ୍ୟାନେଲର  ବିତର୍କ  ବେଳେ ମହିଳା ଆଇନଜୀବୀଙ୍କୁ  ମୌଲାନାଙ୍କ ଚାପୁଡା ମାଡ, ଷ୍ଟୁଡିଓ ଭିତରୁ ଗିରଫ କଲା ପୋଲିସ ।

46

କନକ ବ୍ୟୁରୋ : ଲାଇଭ୍ ଷ୍ଟୁଡିଓ ବିତର୍କରେ ହାତାହାତି । ଏକ ଘରୋଇ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ଷ୍ଟୁଡିଓରେ ଆଲୋଚନା ଚାଲିଥିବା ବେଳେ ମହିଳା ଆଇନଜୀବୀଙ୍କ ଉପରେ ହାତ ଉଠାଇଲେ ମୌଲନା । ତିନି ତଲାକ୍ ଓ ନିକାହ ହଲାଲା ପ୍ରସଙ୍ଗରେ ଷ୍ଟୁଡିଓ ବିତର୍କ ବେଳେ କଥା କଟାକଟିରୁ ମହିଳା ଆଇନଜୀବୀଙ୍କ ଉପରେ ହାତ ଉଠାଇଲେ ମୌଲାନା । ପରେ ମୌଲାନାଙ୍କୁ ପୁଲିସ ଗିରଫ କରିଛି । ତେବେ ବିତର୍କର ସିଧାପ୍ରସାରଣ ସମୟର ଏହି ଘଟଣାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।

ମହିଳାଙ୍କ ଉପରେ ଉତକ୍ଷିପ୍ତ ହୋଇ ହାତ ଉଠାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ମୌଲବୀ । ଅଲ୍ ଇଣ୍ଡିଆ ମୁସଲିମ୍ ଲ ବୋର୍ଡର ସଦସ୍ୟ ଏଜାଜ ଅର୍ସଦ କାସମୀ । ଆଉ ମହିଳା ହେଉଛନ୍ତି ସୁପ୍ରିକୋର୍ଟର ଆଇନଜୀବୀ ଫାରା ଫୈଜ୍ । ଘରୋଇ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲରେ ଚାଲିଥିଲା ଗରମାଗରମ ଆଲୋଚନା । ପ୍ରସଙ୍ଗ ଥିଲା ତିନି ତଲାକ୍ ଓ ନିକାହ ହଲାଲା ।

ହଜାର ହଜାର ଦର୍ଶକ ଘରେ ବସି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖୁଥିଲେ । ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିତର୍କ ଚାହୁଁ ଚାହୁଁ ଉଗ୍ର ରୂପ ନେଇଗଲା । ଅତିଥିଙ୍କ ମଧ୍ୟରେ କଥା କଟାକଟି ଆଉ ତାପରେ ହାତାହାତି । ମହିଳା ଆଇନଜୀବୀଙ୍କ ଉପରେ ହାତ ଉଠାଇଦେଲେ ମୌଲାନା । କାର୍ଯ୍ୟକ୍ରମର ସିଧାପ୍ରସାରଣ ଚାଲିଥିବା ବେଳେ ମୌଲାନାଙ୍କୁ ଅଟକାଇବାକୁ ଉଦ୍ୟମ କରାଯାଇଥିଲା ହେଲେ କାହା କଥା ଶୁଣିନଥିଲେ ଉତକ୍ଷିପ୍ତ ମୌଲାନା ।

ଟିଭି ପରଦାରେ ବିତର୍କରୁ ବିବାଦ ଓ ମହିଳାଙ୍କୁ ଆକ୍ରମଣ ପରେ ପୋଲିସ ମୌଲାନାଙ୍କୁ ଷ୍ଟୁଡିଓରୁ ଗିରଫ କରିନେଇଛି । ପୂର୍ବରୁ ୨୦୧୪ରେ ଏକ ଟିଭି ଚ୍ୟାନେଲରେ ବିତର୍କ ଚାଲିଥିବା ବେଳେ ଆପ୍ ମୁଖପାତ୍ର ଏଜାଜ ଖାନ୍ ଓ ଟିନା ଶର୍ମାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ପରେ ହାତାହାତି ପିରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ଗତବର୍ଷ ଲାଇଭ ଡିବେଟରେ ରାଧେ ମାଙ୍କ ଉପରେ ବିତର୍କ ଚାଲିଥିବା ବେଳେ ଜଣେ ସ୍ୱାମୀଙ୍କୁ ମହିଳା ସାଧ୍ୱୀ ଚାପୁଡା ମାରିଦେଇଥିଲେ ।