କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପରେ ପୁଣି ହାରିଲା ଭାରତ । ମରକୋ ଠାରୁ ଟିମ୍ ଇଣ୍ଡିଆ ହାରିଯାଇଛି । ଭାରତୀୟ ଖେଳାଳି ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲେ । କିଛି ସୁଯୋଗ ମଧ୍ୟ ମିଳିଥିଲା, ହେଲେ ଗୋଲ କରିପାରି ନଥିଲେ । ଏହାର ସୁଯୋଗ ନେଇଥିଲା ମରକୋ ଟିମ୍ । ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଚାଲିଥିଲା ମରକୋ ଟିମ୍ । ଫଳରେ ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି ।

Advertisment

କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଭାରତ ଆରମ୍ଭରୁ ଭଲ ଖେଳିଥିଲା। ଅଷ୍ଟମ ମିନିଟ୍‌ରେ ପ୍ରଥମ କର୍ଣ୍ଣର ପାଇ ଆୟୋଜକ ଦଳ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲା । ହେଲେ ଏହାକୁ ନେହା ସଠିକ୍‌ ପ୍ଲେସ୍‌ମେଣ୍ଟ କରିନପାରିବାରୁ ବଲ୍‌ ଖେଳାଳିଙ୍କ ଉପର ଦେଇ ବାହାରକୁ ଚାଲିଯାଇଥିଲା । ୧୪ତମ ମିନିଟ୍‌ରେ ମରୋକ୍କୋର ସାମ୍ୟା ମାସ୍‌ନୋଇଙ୍କ ଏକ ସଟ୍‌କୁ ଭାରତୀୟ ଗୋଲ୍‌ରକ୍ଷିକା ମେଲୋଡି କେଇସାମ ଅଟକାଇ ଦେଇଥିଲେ । ୨୦ତମ ମିନିଟ୍‌ରେ ମରୋକ୍କୋର ଏକ ସଟ୍‌ ଗୋଲ୍‌ ବାର୍‌ରେ ବାଜି ବାହାରକୁ ଚାଲିଯିବାରୁ ଭାରତ ପୁଣି ବଞ୍ଚିଯାଇଥିଲା । ୩୭ତମ ମିନିଟ୍‌ରେ ଶୁଭାଙ୍ଗୀ ସିଂହ ବଲ୍‌ ନେଇ ମରୋକ୍କୋ ଗୋଲ୍‌ପୋଷ୍ଟ୍‌ର ନିକଟତର ହୋଇଯାଇଥିଲେ। ହେଲେ ତାଙ୍କ ସଟ୍‌ ଗୋଲ୍‌ ପୋଷ୍ଟ୍‌ ବାହାରକୁ ଚାଲିଯାଇଥିଲା । ଏହିପରି ଅକ୍ରମଣ ପ୍ରତିଆକ୍ରମଣରେ ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା ।

ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ମରୋକ୍କୋ ଆକ୍ରମଣ ଆରମ୍ଭ କରିଦେଇଥିଲା । ୫୦ତମ ମିନିଟ୍‌ରେ ଭାରତର ପେନାଲ୍‌ଟି ‌ଏରିଆ ଭିତରେ ନାକେତାଙ୍କ ହାତରେ ବଲ୍‌ ବାଜିଯିବାରୁ ମରୋକ୍କୋକୁ ପେନାଲ୍‌ଟି ମିଳିଯାଇଥିଲା। ଏହାକୁ ଦୋହା ଇଲ୍‌ ମୋଦାନି ଗୋଲ୍‌ରେ ପରିଣତ କରି ମରୋକ୍କୋକୁ ଅଗ୍ରଣୀ ଦେଇଥିଲେ। ୫୩ ମିନିଟ୍‌ରେ ଫାଉଲ୍‌ ହେବାରୁ ଭାରତକୁ ଫ୍ରି କିକ୍‌ ମିଳିଥିଲା । ‌ହେଲେ ଅନିତା କୁମାରୀ ଏହାକୁ ବିପକ୍ଷ ଦଳର ରକ୍ଷଣଭାଗ ଉପରେ ମାରିଦେଇଥିଲେ । ୬୨ତମ ମିନିଟ୍‌ରେ ସାମ୍ୟା ମାସ୍‌ନୋଇଙ୍କ ପାସ୍‌କୁ ମରୋକ୍କୋ ଅଧିନାୟିକା ୟାସମିନ୍‌ ଜୋହିର ଭାରତୀୟ ଗୋଲ୍‌ ପୋଷ୍ଟ୍‌କୁ ବଲ୍‌ ପଠାଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ଏହାପରେ ଭାରତ ପ୍ରତିଆକ୍ରମଣ କରି ଅନେକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ୍‌ ଦେବାରେ ବିଫଳ ହୋଇଥିଲା।