ଗାଁ ପଶୁଛି କରୋନା, ବଢ଼ୁଛି ସଂକ୍ରମଣ । ରାୟଗଡା ଜିଲ୍ଲାର ଆଦିବାସୀ ବହୁଳ ଗାଁରେ ଘରେ ଘରେ ଜ୍ୱର-କାଶ । କରୋନା ପରୀକ୍ଷା ନକରାଇ ଔଷଧ ଦେଉଛି ସ୍ୱାସ୍ଥ୍ୟ ବିଭାଗ

83

କନକ ବ୍ୟୁରୋ: ଆଦିବାସୀ ଗାଁରେ ଘରେ ଘରେ ଜ୍ୱର, କାଶ ଓ ମୁଣ୍ଡବ୍ୟଥା । ଦୀର୍ଘ ୪ ରୁ ୫ ଦିନ ହେବ ପୀଡିତ ଥିଲେ ମଧ୍ୟ ରୋଗୀଙ୍କର କରୋନା ପରୀକ୍ଷା କରାଯାଉ ନାହିଁ । ରାୟଗଡା ଜିଲ୍ଲାର ଆଦିବାସୀ ଗାଁରେ ସଚେତନତା ଅଭାବ ଯୋଗୁଁ ମହାମାରୀକୁ ନେଇ ଆଶଙ୍କା ବଢୁଛି ।

ଘରେ ଘରେ ଜ୍ୱର-କାଶ । ଭୟଭିତ ଆଦିବାସୀ । ରାୟଗଡା ବ୍ଲକ ବଇରାଗି ହାଲୁଆ ପଚାଂୟତର ୧୧ ଖଣ୍ଡ ଗାଁରେ ଘରେ ଘରେ ଲୋକଙ୍କୁ ଜ୍ୱର, ଥଣ୍ଡା ଓ କାଶ । ଗୁରୁରାଜଗୁଡା, ଉଶୁରିକାପାଡୁ, ବେଣିଆଡାଙ୍ଗ, ଗୋସେଇ କଣଟୁଆ, ଉମରବାଲି, ସାନ ଲୁକୁଟି, ବଡଲୁକୁଟି, ବ୍ରାହ୍ମଣ ହାଲୁଆ ପରି ଗାଁରେ ଜ୍ୱରକୁ ଆତଙ୍କ ଖେଳି ଯାଇଛି । ଆଶାଦିଦି, ଅଙ୍ଗନବାଡି କର୍ମି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଗାଁରେ ଲୋକଙ୍କ ଠାରୁ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି । ହେଲେ କରୋନା ପରୀକ୍ଷା ନକରାଇ ଆକ୍ରାନ୍ତ ଔଷଧ ଦିଆଯାଇଥିଲେ ବି ଜ୍ୱର କମୁନଥିବା ଆଦିବାସୀମାନେ ଅଭିଯୋଗ କରିଛନ୍ତି ।

ଦୀର୍ଘ ୪ରୁ ୫ ଦିନ ଧରି ଜ୍ୱର, କାଶ ଓ ମୁଣ୍ଡବ୍ୟଥାରେ ଆକ୍ରାନ୍ତ ହୋଇ ଲୋକେ ଘରେ ପଡି ରହିଛନ୍ତି । କରୋନା ହୋଇଥିବ ଭାବି ହସପିଟାଲ ନଯାଇ ଆକ୍ରାନ୍ତ ଘରେ ଅଛନ୍ତି । ଭୟଭିତ ହୋଇ ଲୋକେ ଘରୁ ବାହାରୁ ନାହାନ୍ତି । ବଇରାଗି ହାଲୁଆ ପଚାଂୟତ ଅଧିନସ୍ଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ଗାଁରେ ରନ୍ଧାଖାଦ୍ୟ ବଂଟନ କରାଯାଉଛି । ଆଦିବାସୀ ଗାଁରେ ଏକାଧିକା ସଙ୍କ୍ରମିତ ହେବା ପୂର୍ବରୁ ଜିଲ୍ଲା ପ୍ରଶାସନ ଆଦିବାସୀମାନଙ୍କର କରୋନା ପରୀକ୍ଷା କରାଇବା ପାଇଁ ଦାବି ହେଉଛି ।