ବିଧାୟକଙ୍କ କଲୋନୀ ପାଇଁ ଗଛକଟା ମାମଲା । ଆଜି ହାଇକୋର୍ଟରେ ହେବ ମାମଲାର ଶୁଣାଣି

91

କନକ ବ୍ୟୁରୋ : ବିଧାୟକ କଲୋନୀ ଗଛକଟାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଆଜି ହେବ ଶୁଣାଣି । ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକ୍ରମେ ସାଧାରଣ ପ୍ରଶାସନ ବିଭାଗ ଏନେଇ ଜବାବ ରଖିବେ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ମୁରଲିଧର ଏବଂ ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ ।

ତେଣୁ ସୂଚନା ଅନୁସାରେ ସତ୍ୟପାଠ ଜରିଆରେ ରାଜ୍ୟ ସରକାର ଯେଉଁ ଜବାବ ରଖୁଛନ୍ତି ସେଥିରେ ଆବେଦନକାରୀଙ୍କ ଅଭିଯୋଗକୁ ସ୍ପଷ୍ଟ ଭାବେ ଖଣ୍ଡନ କରାଯିବା ସହ ସୌଧ ନିର୍ମାଣ ସପକ୍ଷରେ ଯୁକ୍ତି ଉପସ୍ଥାପନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବରେ କୁହାଯାଇଛି ପ୍ରସ୍ତାବିତ ସୌଧ ନିର୍ମାଣ ସ୍ଥାନରୁ ମୋଟ ୮୭୦ଟି ଗଛ ହଟାଯିବ । ଏହା ମଧ୍ୟରୁୁ କିଛି ଗଛ କଟାଯିବ, ବାକି ଗଛ ସ୍ଥାନାନ୍ତର କରାଯିବ । ଯେତିକି ଗଛ କଟାଯିବ ତାର ୧୦ ଗୁଣ ଗଛ ସହରର ବିଭିନ୍ନ ସ୍ଥାନରେ ଲଗାଯିବ ।

ଏଥିପାଇଁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧ୍ୟକ୍ଷତାରେ ଗତ ୨ ତାରିଖରେ ଏକ ବୈଠକ ବସିଥିଲା । ନିର୍ଦ୍ଧାରିତ ସ୍ଥାନରେ ବିଧାୟକଙ୍କ ପାଇଁ ସୌଧ ନିର୍ମାଣ ହେବ । ସୌଧ ନିର୍ମାଣରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବ ନାହିଁ । ରାଜଧାନୀ ଭୁବନେଶ୍ୱରର ୪ ନମ୍ବର ୟୁନିଟରେ ବିଧାୟକ ସୌଧ ଶହ ଶହ ଗଛ କଟାଯିବର ଘଟଣାରେ ରାଜ୍ୟ ସରକାର ନିଜ ମନୋଭାବ ସ୍ପଷ୍ଟ କରିଛନ୍ତି ।