କାଲି ଚାଷୀ ସଂଗଠନ କରିବ ଚକାଜାମ । ଜାଣନ୍ତୁ କଣ ରହିଛି ଚାଷୀ ନେତାଙ୍କ ପ୍ଲାନ? 

214

କନକ ବ୍ୟୁରୋ : କୃଷି ଆଇନକୁ ନେଇ ଗତ ଦୁଇ ମାସ ହେବ ଚାଷୀ ଆନ୍ଦୋଳନ ଜାରି ରହିଛି । ଦିଲ୍ଲୀର ବିଭିନ୍ନ ସୀମାରେ ହଜାର ହଜାର ସଂଖ୍ୟାରେ ଚାଷୀମାନେ ବସି ରହିଛନ୍ତି । ଏହାସହ କାଲି ସାରା ଦେଶରେ ଚାଷୀମନେ ଚକାଜାମ କରିବେ । ହେଲେ ଏଥର ଦିଲ୍ଲୀରେ ଚକାଜାମ ହେବ ନାହିଁ । ତେବେ ଆସନ୍ତୁ ଜାଣିବା କାଲିର ଚକା ଜାମକୁ ନେଇକି ଚାଷୀ ନେତାଙ୍କର କଣ ପ୍ଲାନ ରହିଛି ।

କେତେବେଳେ କେମିତି ହେବ ଚକାଜାମ?

ଏଥର ଚକାଜାମ କେବଳ ୩ ଘଣ୍ଟା ପାଇଁ ହେବ । ଏହା ଦିନ ୧୨ଟାରୁ ଆରମ୍ଭ ହୋଇ ଦିନ ୩ଟାରେ ଶେଷ ହେବ । ଏହି ସମୟରେ ଚାଷୀମାନେ ନିଜ ନିଜ ଅଞ୍ଚଳରେ ରହି ଚକାଜାମ କରିବେ । ଏହି ସମୟରେ ବିକ୍ଷୋଭ ମଧ୍ୟ ଜାରି ରହିବ । ଏହି ଚକାଜାମ ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏହି ସମୟରେ ସାଧାରଣ ଲୋକଙ୍କୁ ବାଦାମ, ଚଣା ପାଣି, ଫଳ ଦେବେ ଚାଷୀ ।

ଗାଁ ଗାଁରେ ପହଞ୍ଚିବ ଚାଷୀ ଆନ୍ଦୋଳନ 

ରାକେଶ ଟିକାୟତଙ୍କ କହିବାମୁତାବକ, ଅନେକ ଦିନ ଧରି ଚାଷୀମାନେ ଦିଲ୍ଲୀ ସୀମାରେ ବସି ରହିଛନ୍ତି । ହେଲେ ଏଥର ଗାଁ ଗାଁରେ ପହଞ୍ଚିବ ଚାଷୀ ଆନ୍ଦୋଳନ । ରାକେଶ ଟିକାୟତ କହିଛନ୍ତି ଯେ ଏବେ ଗାଁରୁ ଦୁଇଟି ଟ୍ରାକ୍ଟର ଦିଲ୍ଲୀକୁ ଆସିବ । ଏହି ଟ୍ରାକ୍ଟର ଏଠାରେ କିଛି ଦିନ ରହିବେ । ତାପରେ ଫେରିଯିବେ । ଏହାପରେ ଅନ୍ୟ ଟ୍ରାକ୍ଟର ଆସିବ । ଏହି ପ୍ରକ୍ରିୟା କିଛିଦିନ ଚାଲୁ ରହିବ ।

ଦିଲ୍ଲୀରେ ହେବନି ଚକାଜାମ 

ଏତର ଦିଲ୍ଲୀରେ ଚକାଜାମ ହେବନାହିଁ । ଜାନୁଆରୀ ୨୬ ପରେ ଦିଲ୍ଲୀରେ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛନ୍ତି । ଦିଲ୍ଲୀର ସୀମାକୁ ମଧ୍ୟ ସିଲ କରିଦେଇଛନ୍ତି । ତେଣୁ ଏଥର ଦିଲ୍ଲୀରେ ଚାଷୀମାନେ ଚକା ଜାମ କରିବେ ନାହିଁ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।