ଯେବେ ଅନୀଲ କୁମ୍ବଲେ କରିଥିଲେ କମାଲ । ନିଜ ବୋଲିଂରେ ପୋଛି ଦେଇଥିଲେ ପୂରା ପାକିସ୍ତାନ ଟିମକୁ । ଗୋଟିଏ ଇଂନିସରେ ଏକାକୀ ନେଇଥିଲେ ୧୦ ୱିକେଟ ।

154

କନକ ବ୍ୟୁରୋ : ଯେତେବେଳେ ତାଙ୍କ ହାତରେ ଥାଏ ବଲ । ନିଜ ସ୍ପିନର ଯାଦୁଗରିରେ ସେ ଦେଖାନ୍ତି କମାଲ । ଭାରତୀୟ କ୍ରିକେଟ ଜଗତରେ ସେ ହେଉଛନ୍ତି ଜଣେ କିମ୍ବଦନ୍ତୀ ଖେଳାଳି । ଅନୀଲ କୁମ୍ବଲେ ଦିନ ଥିଲା ନିଜେ ଏକାକୀ ଭାରତୀୟ ବୋଲିଂ ବିଭାଗକୁ ସମ୍ଭାଳିବାର ଦକ୍ଷତା ରଖୁଥିଲେ । ନିଜ ବୋଲିଂରେ ବଡ ବଡ ଟିମକୁ ଧରାଶାୟୀ କରିଦେଉଥିଲେ କୁମ୍ବଲେ । ଆଜି ଆମେ ଏମିତି ଏକ ଟେଷ୍ଟ ମ୍ୟାଚ କଥା କହିବୁ ଯେଉଁଥିରେ ଦେଖିବାକୁ ମିଳିଥିଲା କୁମ୍ବଲେଙ୍କ କମାଲ । ଫେବୃଆରୀ ୭ ତାରିଖ ଅର୍ଥାତ ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ଇତିହାସ ରଚିଥିଲେ ଏହି ଭାରତୀୟ କ୍ରିକେଟର ।

କ୍ରିକେଟ ଇତିହାସରେ ଆପଣ ସଚିନଙ୍କ ଶହେ ଅନ୍ତରାଷ୍ଟ୍ରିୟ ଶତକ ଦେଖିଥିବେ, ଆଉ ମୁଥୟା ମୁରଲୀ ଧରନଙ୍କ ୮୦୦ତମ ୱିକେଟ ମଧ୍ୟ ଦେଖିଥିବେ । ହେଲେ ଆମେ ଆଜି କହିବୁ ଅନିଲ କୁମ୍ବଲେଙ୍କ ସେହି ୧୦ ୱିକେଟ କଥା । ଯାହାକି ସେ ଗୋଟିଏ ଇଂନିସରେ ନେଇଥିଲେ ।
ସ୍ଥାନ ଥିଲା ଦିଲ୍ଲୀ, ଆଉ ଷ୍ଟାଡିୟମ ଥିଲା ଫିରୋଜ ଶାହ କୋଟଲା । ୧୯୯୯ ମସିହା ଫେବୃଆରୀ ୨ ତାରିଖରେ ହୋଇଥିଲା ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ୨ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ହାରିସାରିଥାଏ । ଦ୍ୱିତୀୟ ମ୍ୟାଚରେ ଭାରତ ବଦଲା ନେବା ପାଇଁ ପୂରାପୂରି ପ୍ରସ୍ତୁତ ହୋଇ ମୈଦାନକୁ ଓହ୍ଲାଇଥାଏ । ଯଦି ଏହି ମ୍ୟାଚ ପାକିସ୍ତାନ ଜିତି ଯାଇଥାନ୍ତା ତେବେ ଭାରତ ଏହି ଟେଷ୍ଟ ସିରିଜରେ ପରାସ୍ତ ହୋଇଥାନ୍ତା । ହେଲେ ଏମିତି ହେବାକୁ ଦେଇନଥିଲେ ଅନୀଲ କୁମ୍ବେଲ ।

ଫେବୃଆରୀ ୨ରେ ଆରମ୍ଭ ହୋଇଥିଲା ଏହି ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା ଦଳ । ସକଲିନ ମୁସ୍ତାକଙ୍କ ବୋଲିଂକୁ ସାମ୍ନା କରିପାରିନଥିଲା ଟିମ ଇଣ୍ଡିଆ । ଦଳ ପକ୍ଷରୁ ସାଦଗୋପନ ରମେଶ ୬୦ ଓ ମହମ୍ମଦ ଆଝାରୁଦ୍ଦିନ ୬୭ କରିଥିଲେ ଫଳରେ ଦଳ ୨୫୨ ରନ କରିବାରେ ସକ୍ଷମ ହୋଇଥିଲା ।

ପାକିସ୍ତାନ ମଧ୍ୟ ତାର ପ୍ରଥମ ଇଂନିସରେ ବିଫଳ ହୋଇଥିଲା । ଏହି ଇଂନିସରେ କୁମ୍ବଲେ ନିଜ ବୋଲିଂରେ ଝଲକ ଦେଖାଇଥିଲେ । ସେ ଏହି ଇଂନିସରେ ୪ଟି ୱିକେଟ ନେଇଥିଲେ । ଏହାସହ ହରଭଜନ ସିଂ ୩, ଭେଙ୍କଟେଶ ପ୍ରସାଦ ୨ ଓ ଶ୍ରୀନାଥ ଗୋଟିଏ ୱିକେଟ ନେଇଥିଲେ । ଫଳରେ ପାକିସ୍ତାନ ମାତ୍ର ୧୭୨ ରନ କରିଥିଲା । ଏହାପରେ ଭାରତ ତାର ଦ୍ୱିତୀୟ ଇଂନସରେ ଚମତ୍କାର ଖେଳି ୩୩୯ର ବଡ ସ୍କୋର କରିଥିଲା ।

ପାକିସ୍ତାନର ଦ୍ୱିତୀୟ ଇଂନିସ ବେଳକୁ ସାମ୍ନାରେ ଥାଏ ୪୨୦ ରନର ଟାର୍ଗେଟ । ଏହି ବିଜୟ ଲକ୍ଷ୍ୟ ନେଇ ମୈଦାନ ଓହ୍ଳାଇଥିଲା ପାକିସ୍ତାନ । ଆରମ୍ଭରୁ ୧୦୧ରନର ବଡ ପାର୍ଟନରସିପ କରି ଭାରତୀୟଙ୍କୁ ଚମକାଇ ଦେଇଥିଲା ପାକିସ୍ତାନ । ହେଲେ ୨୪ ଓଭର ବେଳକୁ କୁମ୍ବଲେଙ୍କ ପ୍ରଥମ ଶିକାର ହୋଇଥିଲେ ସାହିଦ ଆଫ୍ରିଦି । ଏହାପରେ ଗୋଟିଏ ପରେ ଗୋଟିଏ ପାକିସ୍ତାନୀ ଖେଳାଳିଙ୍କ ୱିକେଟ ନେଇଯାଇଥିଲେ କୁମ୍ବଲେ । ଏହି ଇଂନିସରେ ମୋଟ ୧୦ ୱିକେଟ ନେଇ ପୂରା ପାକିସ୍ତାନ ଟିମକୁ ପୋଛି ଦେଇଥିଲେ କୁମ୍ବଲେ ।