ଗଂଜାମ ଜିଲ୍ଲାର ଚିନ୍ତା ବଢାଇଲାଣି ସୁରଟ ସଂକ୍ରମଣ : ଦୈନିକ ପଜିଟିଭ୍ ସଂଖ୍ୟା ବଢିବା ପରେ ସୁରଟରେ ଆଜି ଠାରୁ ରାତି ୯ଟାରୁ ସକାଳ ୬ଟା ଯାଏଁ ବଢିଲା କର୍ଫ୍ୟୁ ଅବଧି

ସୁରଟରେ ଥିବା ଲକ୍ଷ ଲକ୍ଷ ଗଂଜାମ ଜିଲ୍ଲାର ବାସିନ୍ଦାଙ୍କୁ ନେଇ ଚିନ୍ତା

164

କନକ ବ୍ୟୁରୋ : ସୁରଟରେ ମାଡ଼ି ଚାଲିଛି କରୋନା । ସ୍ଥିତି ସଙ୍ଗିନ ହେବାରୁ ଗୁରୁବାର ଠାରୁ ରାତ୍ରୀ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି । ଏହା ଜଣାପଡ଼ିବା ପରେ ଗଞ୍ଜାମବାସୀଙ୍କ ମଧ୍ୟ ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ସୁରଟ ଜିଲ୍ଲା‌ରେ ୧୬୮୦ ସକ୍ରିୟ ମାମଲା ଥିବା ଜଣାପଡ଼ିଛି । କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାତ୍ରୀ କର୍ଫ୍ୟୁ ଅବଧି ବଢ଼ାଇ ୧୦ଟା ଠାରୁ ସକାଳ ୬ଟା ଯାଏ ଧାର୍ଯ୍ୟ ହୋଇଥିଲା । ଗତକାଲି ପୁଣି ଅବଧି ବଢ଼ାଯାଇଛି । ଆଜି ଠାରୁ ରାତି ୯ଟାରୁ ସକାଳ ୬ଟା ଯାଏ ରାତ୍ରୀ କର୍ଫ୍ୟୁ ଜାରି ହୋଇଛି । ସୁରଟରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇ ଚାଲିଥିବା ବେଳେ ଲକ୍‌ଡାଉନ୍‌ ଆଉ ବେଶି ଦିନ ନୁହଁ ବୋଲି ଆଶଙ୍କା ବଢ଼ିଛି ।

ସୁରଟରେ କରୋନା ‌ସଂକ୍ରମଣ ଯେତିକି ବଢୁଛି, ଓଡ଼ିଶା ପ୍ରତି ସେତିକି ବିପଦ ଘନେଇ ଆସୁଛି । ଏଭଳି ସ୍ଥିତିରେ ଓଡ଼ିଶାକୁ ଗୁଜରାଟ ଓ ସୁରଟରୁ ଆସୁଥିବା ଟ୍ରେନ୍‌ ଚଳାଚଳରେ ରୋକ୍‌ ଲଗାଯିବା ଜରୁରୀ ହୋଇପଡ଼ିଛି । ସୁରଟରୁ ଯଦି ପ୍ରବାସୀ ପୁଣି ଗଞ୍ଜାମ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଫେରନ୍ତି, ସ୍ଥିତି ପୁଣି ଅସମ୍ଭାଳ ହେବା ଆଶଙ୍କା ଦେଖା‌ଦେଇଛି । ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ବି କରୋନା କାୟା ବିସ୍ତାର ହେଉଛି । ମହାରାଷ୍ଟ୍ର ଓ ଗୁଜୁରାଟକୁ ନଜରରେ ରଖି ରାଜ୍ୟ ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି । ସୁରଟ ଓ ମହରାଷ୍ଟ୍ରରେ ଫେରୁଥିବା ଲୋକଙ୍କ ଷ୍ଟେସନ୍‌ରେ ସ୍କ୍ରିନିଂ ସହିତ ଘରୋଇ ସଙ୍ଗରୋଧ ବାଧ୍ୟତାମୂଳକ କରାଯିବାର ଆବଶ୍ୟକତା ରହିଛି ।