ବୋଲବମ ଆସି ଆରପାରିକୁ ଚାଲିଗଲେ ବାପା: ନିଖୋଜ ଅଭିଯୋଗ କରିଥିବା ପୁଅଙ୍କୁ ଅସ୍ଥି ଦେଇ ଫେରାଇ ଦେଲା ପୁଲିସ

114

କନକ ବ୍ୟୁରୋ: ପାଣି ଢାଳିବାକୁ ଆସି ନିଖୋଜ ହୋଇଗଲେ ବାପା । ବହୁ ଖୋଜାଖୋଜି ପରେ ଜୀବିତ ଅବସ୍ଥାରେ ବାପା ମିଳିଲେ ନାହିଁ, ପୁଅଙ୍କୁ ବାପାଙ୍କ ଅସ୍ଥି ମିଳିଲା । ଏବେ ଅସ୍ଥି ଧରି ବାପାଙ୍କ ମୃତ୍ୟୁ ରହସ୍ୟ ଖୋଜିଛୁ ପୁଅ । ରାଜଧାନୀ ରାଜରାସ୍ତାରୁ ଏମିତି ଏକ ଖବର ସାମ୍ନାକୁ ଆସିଛି । ବାପା କେମିତି ମଲେ ତାହା ଜଣାପଡିନଥିବା ବେଳେ ନ୍ୟାୟ ପାଇଁ ଭୁବନେଶ୍ୱରରେ ବୁଲୁଛି ପୁଅ । ବୋଲବମ୍ରେ ପାଣି ଢାଳିବା ପରେ ପୁରୀ ଆସିିଥିବା ବାପା କେମିତି ଅସ୍ଥି ହୋଇଗଲେ ତାହା ଜାଣି ପାରୁନାହାନ୍ତି ପୁଅ । ଏମିତି କେମିତି ହେଲା ବୋଲି ସମସ୍ତଙ୍କୁ ବାରମ୍ବାର ପଚାରୁଛନ୍ତି । ଏସବୁ ଘଟଣା ଭିତରେ ପୁରୀ ପୁଲିସର କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ମୃତ ମୋହନ ଜେନାଙ୍କ ପୁଅ ଅପୂର୍ବ ଜେନା । କେନ୍ଦୁଝର ଜିଲ୍ଲା ଅକରୁଆ ଅଂଚଳର ମୋହନ, ଗାଁର କିଛି ଲୋକଙ୍କ ସହ ମିଶି ଗତ ୨୯ ତାରିଖରେ ବୋଲବମ୍ ପାଣି ଭାର ନେଇ ଗଂଜାମ ଜିଲ୍ଲାର ପଂଚମହାଦେବଙ୍କ ଠାରେ ଲାଗି କରିଥିଲେ । ଏହାପରେ ସମସ୍ତେ ପୁରୀ ଯାଇଥିଲେ । ତେବେ ପୁରୀରେ ସମସ୍ତେ ବୁଲୁଥିବା ବେଳେ ମୋହନଙ୍କ ବ୍ୟାଗ ଚୋରୀ ହୋଇଯାଇଥିଲା ।

ମୋହନ ବ୍ୟାଗ ଖୋଜିବାକୁ ଯାଇଥିବା ବେଳେ ଅନ୍ୟ ସମସ୍ତ ତାଙ୍କୁ ଛାଡି ପୁରୀରୁ ବସ ଯୋଗେ ଘରକୁ ଫେରିଯାଇଥିଲେ । ହେଲେ ମୋହନ ଫେରିନଥିଲେ । ବାପା ନଫେରିବାରୁ ତାଙ୍କର ଦୁଇ ପୁଅ ଖୋଜି ଖୋଜି ପୁରୀରେ ପହଂଚିଥିଲେ । ପୁରୀ ପୁଲିସକୁ ସମସ୍ତ ଘଟଣା ଜଣାଇବା ପରେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା । ହେଲେ ହଠାତ୍ ଦିନେ ସିଂହଦ୍ୱାର ପୁଲିସ ପୁଅମାନଙ୍କୁ ଡାକି ମୋହନଙ୍କ ମୃତଦେହ ଦେଖାଇଥିଲା । ସେତେବେଳେ ମୋହନଙ୍କ ପୋଷ୍ଟମର୍ଟନ ସରିଥିଲା । ବାପାଙ୍କ ମୃତ୍ୟୁ କେମିତି ହେଲା ବୋଲି ପୁଅମାନେ ପଚାରିଥିଲେ । ପୁଲିସ ତାର ଉତର ନଦେଇ ସ୍ୱର୍ଗଦ୍ୱାରରେ ମୋହନଙ୍କ ଶବ ସକ୍ରାର କରି ପୁଅଙ୍କ ହାତରେ ଅସ୍ଥି ଧରାଇ ଦେଇଥିବା ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି । ତେବେ ବାପାଙ୍କ ମୃତ୍ୟୁ କେମିତି ହେଲା ତାହା ଏଯାଏଁ ଜଣାପଡିନାହିଁ । ଏଭଳି ସ୍ଥିତିରେ ବାପାଙ୍କ ମୃତ୍ୟୁର ନ୍ୟାୟ ମାଗୁଛନ୍ତି ମୃତକଙ୍କ ପୁଅ ।