ନୟାଗଡ଼: ଗମ୍ଭାରୀଡ଼ିହି ଗାଁରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପ ପୁଅଙ୍କ ମୃତ୍ୟୁ

29

କନକ ବ୍ୟୁରୋ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପ ପୁଅଙ୍କ ମୃତ୍ୟୁ । ବିଲକୁ ଯିବା ବେଳେ ୧୧କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ଏହାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଉଭୟ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ନୟାଗଡ଼ ଇଟାମାଟିର ଗମ୍ଭାରୀଡ଼ିହି ଗାଁରେ ଏହି ଅଘଟଣ ଘଟିଛି । ଆଜି ସକାଳେ ବାପା ଅନନ୍ତବନ୍ଧୁ ମହାପାତ୍ର (୬୮) ବିଲକୁ ଯାଉଥିବା ସମୟରେ ଗତକାଲି ରାତିରୁ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଏହି ଖବର ପାଇ ପୁଅ ଭିକାରୀ ମହାପାତ୍ର (୪୦ ) ବାପାକୁ ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ସେ ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ତେବେ ଗତକାଲି ରାତିରୁ ଏହି ବିଦ୍ୟୁତ ତାରଟି ଛିଣ୍ଡି ପଡ଼ିଥିଲା । ଏନେଇ ବିଦ୍ୟୁତ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ କିଛି ପଦକ୍ଷେପ ନେଇ ନ ଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମେଡିକାଲ ଆଗରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ।