ରଙ୍ଗୀନ ମାଛ ଚାଷ କରି ଚର୍ଚ୍ଚାରେ ଝାରସୁଗୁଡାର ଡେରିନା ରୋଜ ହ୍ୟାରୀ । ୧୦ରୁ ୧୨ପ୍ରକାରର ମାଛ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୩୦ରୁ ୪୦ହଜାର ଟଙ୍କା ।

112

କନକ ବ୍ୟୁରୋ: କରୋନା ମହାମାରୀ ଓ ଲକଡାଉନ ଅନେକଙ୍କ ଜୀବନ ବଦଳାଇ ଦେଇଛି । କିଏ ରୋଜଗାର ହରାଇଛି ତ କିଏ ଆତ୍ମିୟଙ୍କୁ । କିନ୍ତୁ ଏହାରି ଭିତରେ ଅନେକ, ଜୀବନ ଜୀବିକାର ନୂଆ ରାହା ବି ପାଇଛନ୍ତି । ଆଉ ଏଭଳି କିଛି ଲୋକ ବି ଅଛନ୍ତି ଯେଉଁମାନେ ଏହି ସମୟର ସଦୁପଯୋଗ କରିପାରିଛନ୍ତି । ଏଭଳି ଲକଡାଉନ ସମୟରେ ରଙ୍ଗିନ ମାଛଚାଷର ପସରା ମେଳାଇଥିବା ଝାରସୁଗୁଡା ଉଚ୍ଚ ଶିକ୍ଷିତ ଯୁବତୀ ଡେରିନା ରୋଜ ହ୍ୟାରୀ ଆଜି ଯୁବପିଢୀ ପାଇଁ ସାଜିଛନ୍ତି ପ୍ରେରଣା । ଦେଶ ବିଦେଶର ବିଭିନ୍ନ ରଙ୍ଗୀନ ମାଛକୁ ନେଇ ଏକ ବୃହତ ଆକ୍ୱାରିୟମ ନିର୍ମାଣ କରି ପ୍ରତିମାସ ୩୫ ରୁ ୪୦ ହଜାର ରୋଜଗାର କରୁଛନ୍ତି ଡେରିନା ।

ଝାରସୁଗୁଡା ସହର କକ୍ସକୋଲନୀବାସିନ୍ଦା ଡେରିନା ରୋଜ ହେରୀ । ସମ୍ବଲପୁର ବିଶ୍ୱବିଦ୍ୟାଲୟରୁ ସ୍ୱାତକ ହାସଲ ହେବା ପରେ ବର୍ତମାନ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ବିଇଡି ଶିକ୍ଷାଲାଭ କରୁଛନ୍ତି । ଡେରିନା ୨୦୧୮ ମସିହାରେ ପରିବାର ସହ ରାଂଚି ବୁଲିବାକୁ ଯାଇଥିଲେ । ସେଠାରେ ଏକ୍ୱାଟିକ ୱାଲର୍ଡ ବୁଲିବାକୁ ଯାଇଥିଲେ । ଆଉ ଏଠାରୁ ରଙ୍ଗୀନ ମାଛ ଚାଷ କରିବାକୁ ସେ ପ୍ରେରଣା ପାଇଥିଲେ । ପ୍ରଥମେ ବଜାରରୁ ଦୁଇତିନି ପ୍ରକାରର ମାଛ ଆଣି ରଖିବା ସହ ଧିରେ ଧିରେ ଏଥିରେ ମନ ନିବେଶ କରିବାକୁ ଲାଗିଥିଲେ ।

ବିଭିନ୍ନ ସୁତ୍ରରୁ ଜ୍ଞାନ ଆହରଣ କରିବା ସହ ରଙ୍ଗୀନ ମାଛଚାଷର ପରିସର ବ୍ୟାପକ ହେବାକୁ ଲାଗିଲା । ଗତ ୨୦୨୦ ମାର୍ଚ ଶେଷଭାଗରୁ କୋରନା ମହାମାରୀ କାରଣରୁ ଲକଡାଉନ ତାଙ୍କୁ ଘରେ ବାନ୍ଧି ରଖିବା ସହ ମାଛଚାଷ ପାଇଁ ଅଧିକ ଧ୍ୟାନ କେନ୍ଦ୍ରିଭୂତ ହୋଇଥିଲା । ବିଭିନ୍ନ ପ୍ରଜାତିର ରଙ୍ଗୀନ ମାଛ ସଂଗ୍ରହ କରି ସେମାନଙ୍କ ପ୍ରଜନନ ପରେ ବଂଶ ବିସ୍ତାର କରିଥିଲା । ଏବେ ପ୍ରାୟ ୧୦ ରୁ ୧୨ ପ୍ରକାରର ଦେଶୀ ଓ ବିଦେଶୀ ପ୍ରକାରର ରଙ୍ଗୀନ ମାଛଚାଷ କରି ବିକ୍ରି କରୁଛନ୍ତି । ୧୦ ଲକ୍ଷ ଟଙ୍କା ବିନିଯୋଗ କରି ପ୍ରତି ମାସକୁ ୩୫ ରୁ ୪୦ ହଜାର ଟଙ୍କା ରୋଜଗାର କରିବା ସହ ଅନ୍ୟ ଦୁଇ ଜଣଙ୍କୁ ରୋଜଗାରକ୍ଷମ କରାଇପାରିଛନ୍ତି ।

ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗକରି ଘର ପଛରେ କମ ଜାଗାରେ ମାଛ ଛାଷ କରି ଚର୍ଚ୍ଚାକୁ ଆସିଛନ୍ତି ଡେରେନା । ତେବେ ପାଠୁଆ ଝିଅର ରଙ୍ଗୀନ ମାଛଚାଷ ଦେଖି ପରିବାର ଲୋକ ମଧ୍ୟ ତାଙ୍କୁ ଉତ୍ସାହିତ କରନ୍ତି । ସୋସିଆଲ ମିଡିଆରେ ଡେରିନାଙ୍କ ମାଛଚାଷ ବିଷୟରେ ପ୍ରଚାର ହେବା ପରେ ଏବେ ଝାରସୁଗୁଡା ଜିଲ୍ଲା ସମେତ ପାଖଆଖ ଜିଲ୍ଲାରୁ ବହୁଲୋକ ମାଛ କିଣିବାକୁ ଆସିଥାନ୍ତି ।

ପ୍ରତିମାସ ଭଲ ରୋଜଗାର କରି ଡେରିନା ନିଜକୁ ଆର୍ôଥକ ଦୃଷ୍ଟିରୁ ସ୍ୱାବଲମ୍ବୀ କରାଇପାରିଛନ୍ତି । ପାଠପଢା ପରେ ଚାକିରୀ ପଛରେ ନ ଧାଇଁ ନିଜର ପ୍ରଚେଷ୍ଟା ବଳରେ ଜଣେ ସ୍ୱାବଲମ୍ବୀ ହୋଇପାରିବେ, ଡେରିନୀ ଏହାର ଜ୍ୱଳନ୍ତ ଉଦାହରଣ ।