ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି : ନିଜ ଜିଦରେ ଅଟଳ ଆନ୍ଦୋଳନକାରୀ ଚାଷୀ; ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ସେପଟେ ଆସନ୍ତାକାଲି ଚାଷୀଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି

101

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି, ଏହାକୁ ନେଇ ଏବେ ଚର୍ଚ୍ଚା । କାରଣ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ ଚାଷୀ । ଆଜି ଏନେଇ ସୁପ୍ରିମକୋର୍ଟରେ ହେବ ଶୁଣାଣି । ପୂର୍ବରୁ ସୁପ୍ରିମକୋର୍ଟ କହିସାରିଛନ୍ତି ଯେ, ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ପୂର୍ବରୁ ସୁପ୍ରିମକୋର୍ଟ କହିସାରିଛନ୍ତି ଯେ, ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଲି ହେବ କି ନାହିଁ, ଏନେଇ ଦିଲ୍ଲୀ ପୁଲିସର ନିଷ୍ପତ୍ତି ନିର୍ଭର କରିବ ବୋଲି ନ୍ୟାୟାଳୟ କହିଛନ୍ତି । ତେବେ ଆଗକୁ ମଧ୍ୟ ଚାଷୀ ଓ ଦିଲ୍ଲୀ ପୁଲିସ୍ ମଧ୍ୟରେ ବୈଠକ ବସିବ ବୋଲି ସୂଚନା ମିଳିଛି । କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ପିଟିସନରେ କୁହାଯାଇଛି ଯେ, ଶୋଭାଯାତ୍ରା ଯୋଗୁଁ ସାଧାରଣତନ୍ତ୍ର ଦିବସରେ ବ୍ୟାଘାତ ସୃଷ୍ଟି ହେବ । ସେପଟେ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଏପଟେ ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ୨୧ ଜାନୁଆରୀରେ ସେମାନଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ମଙ୍ଗଳବାର ଦିଲ୍ଲୀରେ ବସିଥିବା କମିଟିର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ବଡ଼ ପ୍ରଶ୍ନ, କମିଟିକୁ ଚାଷୀ ନେତା ଭେଟିବେ କି ନାହିଁ । କାରଣ କମିଟି ଆଗରେ ହାଜର ହେବେନାହିଁ ବୋଲି ପୂର୍ବରୁ ଚାଷୀନେତାମାନେ କହିସାରିଛନ୍ତି । ଏଥିସହ କମିଟିର ସଦସ୍ୟମାନେ ସରକାର ସପକ୍ଷବାଦୀ ବୋଲି ଚାଷୀନେତା ଅଭିଯୋଗ କରିଆସୁଛନ୍ତି । ଏପରିକି ଏହି ଅଭିଯୋଗ ପରେ କମିଟିର ସଦସ୍ୟ ପଦରୁ ଚାଷୀ ନେତା ଭୂପିନ୍ଦର ସିଂ ମାନ ନିଜକୁ ଦୂରେଇ ନେଇଥିଲେ ।