ଆସନ୍ତାକାଲି ଚାଷୀ କରିବେ ଚକାଜାମ୍ । ସାରାଦେଶରେ ଦିନ ୧୨ଟାରୁ ୩ଟା ଯାଏଁ ଗାଡି ଚଳାଚଳ ଉପରେ ଲାଗିବ ରୋକ୍ । ଚକାଜାମକୁ ଓଡିଶାରେ ନବନିର୍ମାଣ କୃଷକ ସଂଗଠନର ସମର୍ଥନ

370

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବେ କୃଷକ ସଂଗଠନ । ଆସନ୍ତାକାଲି ଦିନ ୧୨ଟାରୁ ୩ଟା ଯାଏ ସାରା ଦେଶରେ ଚକାଜାମ ପାଇଁ ଘୋଷଣା କରିଛନ୍ତି ଚାଷୀ ସଂଗଠନ । ଏହାକୁ ସମର୍ଥନ କରି ନବ ନିର୍ମାଣ ସଂଗଠନ ମଧ୍ୟ ରାଜ୍ୟରେ ଚକ ,ଅଖ ଜାମର ଡାକରା ଦେଇଛି । ନବ ନିର୍ମାଣ କୃଷକ ସଂଗଠନ ଆବାହକ ଅକ୍ଷୟ କୁମାର କହିଛନ୍ତି. ଦିନ ୧୨ଟାରୁ ୩ଟା ମଧ୍ୟରେ ରାଜ୍ୟରେ ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ । କୃଷି ଆଇନକୁ ବିରୋଧ କରି ଚାଷୀମାନେ ୨ ମାସରୁ ଅଧିକ ଦିନ ହେଲାଣି ଆନ୍ଦୋଳନ କରୁଛନ୍ତି । ଏହା ମଧ୍ୟରେ ୧୧ ଥର ଚାଷୀ ଓ କେନ୍ଦ୍ର ସରକାର ମଧ୍ୟରେ ବୈଠକ ବସିଥିଲେ ବି ଆନ୍ଦୋଳନର ପନ୍ଥା ବାହାରିପାରୁନାହିଁ । ସେପଟେ ଆନ୍ଦୋଳନକୁ ଅଟକାଇବା ପାଇଁ ଅନ୍ନଦାତାଙ୍କୁ ଟାର୍ଗେଟ କରିଛି ସରକାର । ଦିଲ୍ଲୀ ସୀମା ରାସ୍ତାରେ ଦିଲ୍ଲୀ ପୋଲିସ ପକ୍ଷରୁ ପୋତାଯାଇଛି କଂଟା ବାଡ ଓ ଲୁହା ତାର ।
ସେପଟେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରେଟି ମାନଙ୍କର ଟ୍ୱିଇଟ୍ ଏବେ ବିଦେଶରେ ଭାରତର ଛବିକୁ ମଳିନ କରିଛି । ବିଦେଶୀ ସେଲିବ୍ରେଟି ମାନଙ୍କ ଟ୍ୱିଟ୍ ପରେ ଦିଲ୍ଲୀ ପୋଲିସ ପକ୍ଷରୁ ପୋତା ଯାଇଥିବା କଣ୍ଟାବାଡ ଓ ଲୁହାତାରକୁ କିଛି ସ୍ଥାନରୁ ହଟାଇ ନିଆଯାଇଛି ।