ଶସ୍ତାରେ ବିକିଥିଲେ, ଚଢାଦରରେ କିଣୁଛନ୍ତି । ପିଆଜ ଚାଷୀ ଏବେ ବିନା ପିଆଜର ତରକାରୀ ଖାଉଛି ।

519

କନକ ବ୍ୟୁରୋ : ଶସ୍ତାରେ ବିକି ଥିଲେ ଏବେ ଚଢା ଦରରେ କିଣିବାକୁ ପଡୁଛି । ଗୋଟିଏ ଧାଡିରେ କହିଲେ, ଇଏ ହେଉଛି କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ପିଆଜ ଚାଷୀଙ୍କ ଦୁଃଖ । ବହୁ ପରିଶ୍ରମରେ ଉତ୍ପାଦନ କରିଥିବା ପିଆଜକୁ କିଲୋ ୫ରୁ୮ ଟଙ୍କାରେ ବିକ୍ରି କରିଥିବା ଚାଷୀ ଏବେ ପିଆଜ କିଣିବା ବେଳକୁ କାନ୍ଦୁଛି । କାହିଁକି ନା କିଲୋ ପିଛା ଦେବାକୁ ପଡୁଛି ୮୦ ଟଙ୍କା ।

୮ ଟଙ୍କାରେ ବିକିଥିଲୁ, ୮୦ ଟଙ୍କାରେ କିଣୁଛୁ । ଏହି ବୟାନ ହିଁ ବଖାଣୁଛି ପିଆଜ ଚାଷୀଙ୍କ ଦୁଃଖ । କିଲୋ ପିଛା ୫ରୁ ୮ଟଙ୍କାରେ ପିଆଜ ବିକ୍ରି କରିଥିବା ଚାଷୀ, ଏବେ ୮୦ ଟଙ୍କାରେ ପିଆଜ କିଣୁଛନ୍ତି । ସ୍ଥିତି ଏମିତି ହୋଇଛି ଯେ, ନିଜେ ପିଆଜ ଚାଷ କରୁଥିଲେ ସୁଦ୍ଧା ବିନା ପିଆଜର ତରକାରୀ ଖାଇବାକୁ ବାଧ୍ୟ ହେଉଛନ୍ତି । ପିଆଜ ଚାଷୀଙ୍କ ପାଇଁ ନା’ ସଂରକ୍ଷଣ ବ୍ୟବସ୍ଥା ଅଛି ନା’ ବିକ୍ରି ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା । ଯେଉଁଥିପାଇଁ ଆଜିର ଦିନରେ ପିଆଜ ୮୦ ଟଙ୍କା ଦରରେ କିଣୁଛନ୍ତି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଚାଷୀ ।

ବ୍ରଜ କିଶୋର ଏବଂ ଲାଏବାନଙ୍କ କାହାଣୀଠାରୁ ଟିକେ ଭିନ୍ନ ନୂଆପଡ଼ାର ଉପେନ୍ଦ୍ର ରଣାଙ୍କ କାହାଣୀ । ଉପେନ୍ଦ୍ର ପିଆଜ ଚାଷ କରିଥିଲେ । ଅଭାବି ବିକ୍ରି ଦାଉରୁ ନିଜ ପିଆଜକୁ ବଂଚାଇ ପ୍ରାୟ ଶହେ ପକେଟ୍ ପିଆଜ ବି ବହୁ କଷ୍ଟରେ ସଂରକ୍ଷଣ କରି ରଖିଥିଲେ । ହେଲେ ଠିକ୍ ଦାମ ବଢ଼ିଲା ବେଳକୁ ପିଆଜ ସବୁ ନଷ୍ଟ ହୋଇଗଲା । ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଘରେ ହିଁ ଗଜା ହୋଇଗଲା ପିଆଜ ।

ଅହେତୁକ ଦର ବୃଦ୍ଧି ଯୋଗୁଁ କେବଳ ଯେ, ଚାଷୀ ହଇରାଣ ହେଉଛନ୍ତି ତାହା ନୁହେଁ । ବ୍ୟବସାୟୀ ଏବଂ ଖାଉଟି ମଧ୍ୟ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଏବେ ଓଡ଼ିଶାର ପିଆଜ ଚାହିଦାକୁ ମେଂଟାଇବା ପାଇଁ ଭାରତକୁ ଇଜିପ୍ଟରୁ ପିଆଜ ଆସୁଛି । ଆଶା କରାଯାଉଛି ଖୁବ୍ ଶୀଘ୍ର ଦର ଉପରେ ନିୟନ୍ତ୍ରଣ ଆସିଯିବ । ହେଲେ ପ୍ରଶ୍ନ ହେଉଛି- ଚାଷୀଙ୍କ ଦୁଃଖ ବୁଝିବ କିଏ? କଳାହାଣ୍ଡି ଓ ନୂଆପଡ଼ାରେ କେବେ ହେବ ପିଆଜ ସଂରକ୍ଷଣର ବ୍ୟବସ୍ଥା?