କାହିଁକି ଦିଲ୍ଲୀ ସୀମାରୁ କମୁଛି ଆନ୍ଦୋଳନକାରୀଙ୍କ ସଂଖ୍ୟା ? । କୃଷକ ନେତା କହିଲେ ପ୍ରସ୍ତୁତ ହେଉଛି ନୂଆ ରଣନୀତି

170

କନକ ବ୍ୟୁରୋ : ପାଖା ପାଖି ୩ ମାସ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଏବେ ସଂଖ୍ୟା କମିବାରେ ଲାଗିଛି । ଆନ୍ଦୋଳନରତ କୃଷକ ମାନେ ଧିରେ ଧିରେ ଟେଣ୍ଟ ଭାଙ୍ଗି ନିଜ ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଏନେଇ ଆନ୍ଦୋଳନ କମଜୋର ହେଉଥିବା ଆଲୋଚନା ହେଉଥିବା ବେଳେ କୃଷକ ନେତା ମାନେ କହିଛନ୍ତି କି କୃଷକ ମାନେ ସେମାନଙ୍କ ଆନ୍ଦୋଳନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେଣୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଥିବା ବେଳେ କୃଷକ ମାନେ ସେମାନଙ୍କ ନିଜ ନିଜ ଅଞ୍ଚଳକୁ ଯାଇ ଅନ୍ଦୋଳନକୁ ବିସ୍ତାର କରିବା କଥା ଚିନ୍ତା କରୁଛନ୍ତି । ତେଣୁ ଅଧିକାଂଶ କୃଷକ ସେମାନଙ୍କ ଅଞ୍ଚଳକୁ ଫେରି ଯାଉଛନ୍ତି ।

ଅନ୍ୟପଟେ ଦେଶସାରା ମହାପଂଚାୟତ ଆୟୋଜନ କରିବା ଲକ୍ଷ୍ୟ ନେଇ ଚାଷୀ ନେତା ରାକେଶ ଟିକାୟତ ଯୋଜନା କରୁଥିବା ଜଣାପଡିଛି । କୃଷକ ନେତା ରାକେଶ ଟିକାୟତଙ୍କ କହିବା  ମୁତାବକ ଯେତେବେଳେ ଚାହିଁବେ ସେତେବେଳେ ଦିଲ୍ଲୀ ସୀମାରେ କୃଷକ ମାନଙ୍କୁ ଏକଜୁଟ୍ କରାଯାଇ ପାରିବ । ହେଲେ ଦେଶ ସାରା କୃଷି ଆଇନକୁ ବିରୋଧ କରାଯିବା ଲାଗି ମହାପଞ୍ଚାୟତ ଜରୁରୀ ବୋଲି ସେ ମତ ଦେଇଛନ୍ତି । ସେ ଆହୁରି କହିଛନ୍ତି କି ସରକାର ଯେଭଳି ଭାବେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ ସହଜରେ ଏହାର ସମାଧାନ ହେବ ନାହିଁ । ଆନ୍ଦୋଳନ ପୁରା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲୁ ରଖିବା ଉର୍ଦ୍ଦେଶ୍ୟ ନେଇ  ଦିଲ୍ଲୀ ସୀମାରୁ ଆନ୍ଦୋଳନରତ ଚାଷୀଙ୍କ ସଂଖ୍ୟା କମାଇବା ପାଇଁ କୃଷକ ମୋର୍ଚ୍ଚା ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ଟିକାୟତ କହିଛନ୍ତି ।

କହିରଖୁ କି ନୂତନ କୃଷିବିଲ କୁ ବିରୋଧ କରି ଦିଲ୍ଲୀ, ହରିଆଣା, ପଞ୍ଜାବ ଓ ରାଜସ୍ଥାନ ସୀମାରେ କୃଷକ ମାନେ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ସରକାର ଓ କୃଷକ ସଂଗଠନ ମାନଙ୍କ ସହ ୧୧ ଥର ଆଲୋଚନା ହୋଇଥିଲେ ବି ଆଲୋଚନାରୁ କିଛି ସୁଫଳ ମିଳିପାରି ନାହିଁ । ସରକାର ଆଇନ ପ୍ରତ୍ୟାହାର କରିବାକୁ ସିଧା ସଳଖ ମନା କରିଦେଇଥିବା ବେଳେ ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ରୋକ୍ ଠୁକ୍ ଶୁଣାଇ ଦେଇଛନ୍ତି ଚାଷୀ ସଂଗଠନ ମାନେ । ଏହାରି ମଧ୍ୟରେ ଆନ୍ଦୋଳନ ସ୍ଥଳରେ ବିଭିନ୍ନ କାରଣକୁ ନେଇ ୨୦୦ ରୁ ଅଧିକ କୃଷକଙ୍କ ଜୀବନ ଗଲାଣି ।