ରାସ୍ତାରେ ଧାନ ରଖି ଆନ୍ଦୋଳନ ଚଲାଇଛନ୍ତି ଗଞ୍ଜାମ ବେଗୁନିଆପଡାର ଚାଷୀ । ପ୍ରଶାସନର ମନମାନୀ ଓ ମଣ୍ଡିରେ ମିଲରଙ୍କ କଟନୀ ଛଟନୀକୁ ବିରୋଧ ।

96

କନକ ବ୍ୟୁରୋ: ଚାଷୀ, ମଣ୍ଡି ଓ ସମସ୍ୟା । ଏକ ଚିରାଚରିତ ଅଭିଯୋଗ ପାଲଟି ଗଲାଣି । ପ୍ରତିବର୍ଷ ଧାନ କିଣା ସମୟରେ ମଣ୍ଡିରେ ଚାଷୀ ଦୁର୍ଦ୍ଦଶା ଭୋଗିବା ଯେମିତି ସେମାନଙ୍କ ଭାଗ୍ୟରେ ଲେଖା ହୋଇଗଲାଣି । କେତେବେଳେ ଟୋକନ୍ ତ କେତେବେଳେ ଦଲାଲଙ୍କ ଦୌରାତ୍ମ୍ୟ ଚାଷୀଙ୍କୁ ଅନ୍ଦୋଳନ ମୁହାଁ କରୁଛି ।

ମଣ୍ଡିରେ କଟନୀ ଛଟନୀକୁ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ଧାନ ମଣ୍ଡିରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି । କ୍ୱିଣ୍ଟାଲ ପିଛା ୧୦ରୁ ୧୨ କିଲୋ ଧାନ କାଟକୁ ବିରୋଧ କରି ୧୯ ଘଣ୍ଟା ଧରି ଶୀତ କାକରରେ ଧାରଣା ଦେଇଥିଲେ ଚାଷୀ । ସ୍ଥାନୀୟ ତହସିଲଦାର ଓ ଅସ୍ତରଙ୍ଗ ପୁଲିସ ରାତି ଅଧରେ ମଣ୍ଡିରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଛନ୍ତି । ମିଲର ସରକାରୀ ନୀତି ନିୟମରେ ଧାନ କିଣିବାକୁ ନିର୍ଦ୍ଦେଶ ଦେବା ପରେ ମଣ୍ଡି ବ୍ୟବସ୍ଥା ସ୍ୱାଭାବିକ ହୋଇଛି । ମା ତାରିଣୀ ମିଲର୍ସ ମଣ୍ଡରୁ ଚାଷୀଙ୍କ ଧାନ କିଣିଛି ।

ସେପଟେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଅଞ୍ଚଳରେ ୩୬ ଘଣ୍ଟା ପରେ ବି ହଟିନି ଚାଷୀଙ୍କ ଅନ୍ଦୋଳନ । ୩ଟି ପଞ୍ଚାୟତର ଚାଷୀ ରାସ୍ତା ଉପରେ ଧାନ ରଖି ଆନ୍ଦୋଳନ ଜାରି ରଖିଛନ୍ତି । ବୁରୁଝୁରୀ, ସୁମଣ୍ଡଳ ଓ ସାଙ୍କୁଡା ପଞ୍ଚାୟତର ଚାଷୀମାନେ ରାସ୍ତାରେ ଧାନ ବସ୍ତା ରଖି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମଣ୍ଡି ସମସ୍ୟା ସମାଧାନ ନହେବା ଯାଏଁ ଚାଷୀ ଆନ୍ଦୋଳନରୁ ଓହରିବେ ନାହିଁ, ଆବଶ୍ୟକ ହେଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ୩ ଦିନ ହେଲା ରାସ୍ତା ରୋକ ଫଳରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାତାୟତ ସମ୍ପୁର୍ଣ୍ଣ ଠପ ହୋଇଯାଇଛି ।

ପ୍ରଶାସନର ମନମାନି ଏବଂ ମିଲରଙ୍କ କଟନି ଛଟନିକୁ ବିରୋଧ କରି ଚାଷୀ ରାସ୍ତା ଓହ୍ଲାଇ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେହି ବି ଘଟଣାସ୍ଥଳକୁ ଆସିନାହାଁନ୍ତି । ଯାହା ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି କରିବା ବୋଲି ଅନୁମାନ କରାଯାଉଛି ।