ଗୀତ ଶୁଣୁଛି ଗାଈ: ଗାଇ ଗୁହାଳରେ ପଙ୍ଖା ଓ ମିଉଜିକ୍ ସିଷ୍ଟମ ଲଗାଇଛନ୍ତି ଚାଷୀ

155

କନକ ବ୍ୟୁରୋ: ଗୀତ ଶୁଣୁଛି ଗାଈ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ନିଆଳିର ଜଣେ ଯୁବଚାଷୀ ଗୋ-ପାଳନ କରିଛନ୍ତି । ଗାଈଙ୍କ ପାଇଁ ଉଦ୍ଧିଷ୍ଟ ଗୁହାଳରେ ଗାଇ ମାନେ ଗୀତ ଶୁଣିବା ପାଇଁ ଲଗାଇଛନ୍ତି ୨ଟି ସ୍ପିକର । ଏହା ସହ ଗାଇ ବାଛୁରୀଙ୍କ ପାଇଁ ମଧ୍ୟ ପଂଖା ବ୍ୟବସ୍ଥା କରିଛନ୍ତି । ଏହି ଫାର୍ମରେ ହଲିଷ୍ଟନ, ସିନ୍ଧିରି ଏବଂ କ୍ରସବିଡ଼ି ଭଳି ଉନ୍ନତମାନର ୧୨ଟି ଗାଈ ଅଛନ୍ତି । ପ୍ରତିଦିନ ୮୦ ଲିଟର କ୍ଷୀର ଉତ୍ପାଦନ କରି ଲିଟର ପିଛା ୩୦ରୁ ୩୫ ଟଙ୍କାରେ ବିକ୍ରି କରୁଛନ୍ତି ମନୋରଂଜନ । ଫଳରେ ମନୋରଂଜନ ମାସକୁ ୭୨ ହଜାରୁ ୮୦ ହଜାର ଟଙ୍କା ରୋଜଗାର କରୁଛନ୍ତି । କେବଳ ସେତିକି ନୁହେଁ, କିପରି କମ୍ ଖର୍ଚ୍ଚରେ ଗୋ ଖାଦ୍ୟ ଦେଇହେବ ସେଥିପାଇଁ ଫାର୍ମ ନିକଟରେ ଘାସ ଚାଷ କରିଛନ୍ତି । ଏହା ସହ ବାଡ଼ିରେ ଜୈବିକ ପଦ୍ଧତିରେ ଶାଗ, ଅମୃତଭଣ୍ଡା, ନଡ଼ିଆ ଚାଷ କରିଛନ୍ତି ।

କଥାରେ ଅଛି ଅଦମ୍ୟ ଇଚ୍ଛା ଶକ୍ତି, ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ଅସମ୍ଭବକୁ ସମ୍ଭବ କରି ହୁଏ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି କଟକ ଜିଲ୍ଲା ନିଆଳି ନିକଟସ୍ଥ ଗୋବିନ୍ଦପୁର ଗାଁର ମନୋରଂଜନ ବେହେରା । ନିଜସ୍ୱ ଉଦ୍ୟମରେ ଛତୁ ଚାଷ ସହ ଉନ୍ନତମାନର ଗାଈ ଫାର୍ମରୁ ଏବେ ମାସିକ ୧ ଲକ୍ଷ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ମନୋରଂଜନ ପ୍ରଥମେ ନିଜର ଅଢ଼େଇ ଏକର ବାଉଁଶ ବୁଦା ତଳେ ଆଧୁନିକ ପ୍ରଣାଳୀରେ ୬ ଜଣ ଶ୍ରମିକଙ୍କୁ ନେଇ ଛତୁ ଚାଷ ଆରମ୍ଭ କରିଥିଲେ । ଏବେ ଏହି ଛତୁ ଚାଷରୁ ଗୋଟିଏ ଦିନରେ ୫୦ ରୁ ୬୦ କିଲୋ ଛତୁ ଉତ୍ପାଦନ କରୁଛନ୍ତି ।

ବାପାଙ୍କ ସହଯୋଗରେ ମାତ୍ର ପଚାଶ ହଜାର ଟଙ୍କାରେ ବ୍ୟବସାୟ ଆରମ୍ଭ କରି ବର୍ଷକୁ ୧୦ ଲକ୍ଷରୁ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମନୋରଂଜନ । କେବଳ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ତାହା ନୁହେଁ ୧୫ ଜଣଙ୍କୁ ରୋଜଗାରକ୍ଷମ କରାଇପାରିଛନ୍ତି । ଯାହା ଆଜିର ଯୁବଗୋଷ୍ଠୀ ପାଇଁ ଉଦାହରଣ ।