ଏକର ଏକର ଜମିରେ ଲେମ୍ବୁ ଚାଷ କରିଛନ୍ତି ଚାଷୀ: କୁହୁଡ଼ି ଓ ଜଳସେଚନରେ ସମସ୍ୟା ଯୋଗୁଁ ଚଳିତ ବର୍ଷ ଫଳିଛି କମ୍ ଲେମ୍ବୁ

329

କନକ ବ୍ୟୁରୋ: ବଜାରରେ ଏବେ ଲେମ୍ବୁ ଦର ଅମୁଲ ମୁଲ । ଦିନଥିଲା ଅନୁଗୁଳ ସାତକୋଶିଆର ଜଳବାୟୁ ଲେମ୍ବୁଚାଷ ପାଇଁ ଉଦ୍ଧିଷ୍ଟ ଥିଲା । ଶିଳ୍ପର ଅଭିବୃଦ୍ଧି ଓ ଜଳବାୟୁ ପରିବର୍ତନ ଯୋଗୁଁ ଏବେ ଏହି ଚାଷ ବୁଡ଼ିବାକୁ ବସିଲାଣି । ଲେମ୍ବୁ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନଥିବାରୁ ଏହାର ପ୍ରଭାବ ଅନୁଗୁଳ ଓ ଏହାର ଆଖପାଖ ଜିଲ୍ଲାରେ ଦେଖିବାକୁ ମିଳୁଛି..

ବଜାରରେ ଏବେ ଲେମ୍ବୁ ଦର ଆକାଶ ଛୁଆଁ । ଲେମ୍ବୁ ଗୋଟାକୁ ୧୦ ଟଙ୍କା ଦେଇ କିଣୁଛନ୍ତି ଗ୍ରାହକ । ତେବେ ଅନୁଗୁଳ ସାତକୋଶିଆ ଅଂଚଳର ଆଦ୍ର ଜଳବାୟୁ ଲେମ୍ବୁ ଚାଷ ପାଇଁ ବେଶ ଉପଯୋଗୀ ହୋଇଥିବାରୁ ଏଠାରେ ପ୍ରାୟ ଅଧିକାଂଶ ଚାଷୀ ଲେମ୍ବୁ ଚାଷ କରନ୍ତି । ଏପରିକି ଲେମ୍ବୁ ଚାଷ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ଚଳିତ ବର୍ଷ ମଧ୍ୟ ଅନୁଗୁଳ ବ୍ଲକ ନନ୍ଦପୁର ପଂଚାୟତର କରତପଟା, ବ୍ରହ୍ମପୁର, ହିଡ଼ିସିଙ୍ଗ, ହିଂସାଲୋଇ ଅଂଚଳରେ ଏକର ଏକର ଜମିରେ ଚାଷି ଲେମ୍ବୁ ଚାଷ କରିଛନ୍ତି । ଗ୍ରୀଷ୍ମ ରୁତୁରେ କ୍ୱିଂଟାଲ କ୍ୱିଂଟାଲ ଲେମ୍ବୁ ଉତ୍ପାଦନ କରି ଅନୁଗୁଳ ବଜାର ସହ କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଅଂଚଳକୁ ବିକ୍ରି ପାଇଁ ପଠାଉଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ, ସମୟକ୍ରମେ ଜିଲ୍ଲାରେ ଶିଳ୍ପର ଅଭିବୃଦ୍ଧି ଓ ଜଳବାୟୁରେ ପରିବର୍ତନ ପାଇଁ ଲେମ୍ବୁ ଉତ୍ପାଦନ ହ୍ରାସ ପାଉଛି ।

ଚଳିତ ବର୍ଷ ଅସମୟରେ ଘନ କୁହୁଡ଼ି ଯୋଗୁଁ ଲେମ୍ବୁ ଗଛରୁ ଫୁଲ ଝଡ଼ି ଫଳ କମ୍ ଆସିଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ଲେମ୍ବୁ ବଗିଚାପାଖରେ ଥିବା ଜଳାଶୟ ଗୁଡ଼ିକ ଶୁଖିବାକୁ ବସିଲାଣି । ଫଳରେ ଲେମ୍ବୁ ଗଛ ଗୁଡ଼ିକରେ ସଠିକ ସମୟରେ ଜଳସେଚନ ହୋଇପାରୁନାହିଁ । ପାଣି ଅଭାବରୁ ଲେମ୍ବୁ ଗଛରୁ ଫଳ ଗୁଡ଼ିକ ଝଡ଼ିଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟ ଚାଷ ଭଳି ଲେମ୍ବୁ ଚାଷୀଙ୍କୁ ପ୍ରୋତ୍ସାହନ ମିଳିଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି । ଅନୁଗୁଳ ହିଡ଼ିସିଙ୍ଗ ଗାଁର ଅଶୋକ ସାହୁ ୨ ଏକର ଜମିରେ ଲେମ୍ବୁ ଚାଷ କରିଥିବା ବେଳେ ବ୍ରହ୍ମପୁର ଗାଁର ସନ୍ତୋଷ ପ୍ରଧାନ ୩ ଏକର ଜମିରେ ଲେମ୍ବୁ ଲଗାଇଛନ୍ତି । ସେହିପରି ସେହି ଅଂଚଳର କରୁଣାକର ସାହୁ ୨ ଏକର ଏବଂ ରଂଜନ କୁମାର ସାହୁ ସାଢେ ୪ ଏକର ଜମିରେ ଲେମ୍ବୁ ଚାଷ କରିଛନ୍ତି । ସଠିକ ସମୟରେ ଜଳସେଚନ ହୋଇପାରୁନଥିବାରୁ ଲେମ୍ବୁ ଚାଷରେ ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି ଚାଷୀ ।

ସାଧାରଣତଃ ଅନେକ ଲୋକଙ୍କ ବାଡ଼ିରେ ଗୋଟିଏ କିମ୍ବା ୨ଟି ଲେମ୍ବୁ ଗଛ ଥିବା ସମସ୍ତେ ଜାଣିଥିବେ । କିନ୍ତୁ ଏହି ଚାଷକୁ ଆପଣାଇ ନିଜର ପରିବାର ପ୍ରତିପୋଷଣ କରିହେବ ତାହା ଅନୁଗୁଳ ଲେମ୍ବୁ ଚାଷୀ ଠାରେ ଦେଖବାକୁ ମିଳିଛି । ଏକର ଏକର ଜମିରେ ଲେମ୍ବୁ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । ଅନ୍ୟ ଚାଷ ଭଳି ଏହି ଚାଷୀଙ୍କୁ ପ୍ରୋତ୍ସାହନ ସହ ଅନ୍ୟ ସୁବିଧା ସୁଯୋଗ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।