ଦିଲ୍ଲୀରେ ହେବନି ଚକାଜାମ୍ ଆନ୍ଦୋଳନ : ଚାଷୀ ସଙ୍ଗଠନର ଘୋଷଣା ପରେ ବି ସଜାଗ ରହିଛି ଦିଲ୍ଲୀ ପୋଲିସ

ଜାନୁଆରୀ ୨୬ର ଟ୍ରାକ୍ଟର ରାଲି ହିଂସାକୁ ଦୃଷ୍ଟିରେ ରଖି ସତର୍କ ଅଛି ପୋଲିସ

64

କନକ ବ୍ୟୁରୋ : ଦିଲ୍ଲୀରେ ଚକା ଜାମ୍ ଆନ୍ଦୋଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ଚାଷୀ ସଂଗଠନ । ତଥାପି ପ୍ରସ୍ତୁତ ହୋଇ ରହିଛି ଦିଲ୍ଲୀ ପୋଲିସ । ୨୬ ଜାନୁଆରୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ଓ ଉପଦ୍ରବକୁ ଦେଖି ଆଗୁଆ ସତର୍କ ହୋଇଛି ଦିଲ୍ଲୀ ପୋଲିସ । ପୂର୍ବରୁ ଆପଣ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାରେ କଂଟା ବିଛା ଯାଇଥିଲା । ଏପରିକି କଂଟାଯୁକ୍ତ ତାର ବି ବିଛା ଯାଇଥିଲା । ହେଲେ ଏବେ ଚାଲିଛି କଂକ୍ରିଟ୍ ପାଚେରୀ ନିର୍ମାଣ । ଚାଷୀଙ୍କ ଚମା ଜାମ୍ ଆନ୍ଦୋଳନକୁ ଦେଖି ତିନି ଥାକିଆ ବ୍ୟାରିକେଡିଂ କରିଛି ପୋଲିସ ।

ଦିଲ୍ଲୀକୁ ସଂଯୋଗ କରୁଥିବା ସିଂଘୁ, ଟିକରି ଓ ଗାଜିପୁର ସୀମାରେ ଏହିଭଳି ବ୍ୟାରିକେଡିଂ କରାଯାଇଛି । ଉପଦ୍ରବକାରୀଙ୍କୁ ସାବାଡ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛି ପୋଲିସ । ଦିଲ୍ଲୀ ସୀମାରେ ଓ ଭିତରେ ଅତିରିକ୍ତ ପୋଲିସ ବଳଙ୍କୁ ମୁତୟନ କରାଯାଇଛି । ରାଜୀବ ଚୌକ ଓ କେନ୍ଦ୍ରୀୟ ସଚିବାଳୟ ସମେତ ୧୨ଟି ମେଟ୍ରୋ ଷ୍ଟେସନକୁ ସର୍ଟ ନୋଟିସରେ ବନ୍ଦ କରିବାକୁ ପ୍ରସ୍ତୁତ ରହିବା ପାଇଁ ଚିଠି ଲେଖି ଜଣାଇ ଦିଆଯାଇଛି । ଚାଷୀଙ୍କ ଚକା ଜାମ ଆନ୍ଦୋଳନ ପୂର୍ବରୁ ଦିଲ୍ଲୀ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବ, ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ହିଂସାତ୍ମକ ଆନ୍ଦୋଳନ ଉପରେ ସତର୍କ ନଜର ରଖିବାକୁ କହିଛନ୍ତି । ପରିସ୍ଥିତି ଅଣାୟତ ହେଲେ ବଳ ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।