ଧାନ କ୍ଷେତକୁ ନିଅଣ୍ଟ ହେଲା ପାଣି : ବିଲ ଫାଟି ଆଁ କଲାଣି, ହତାଶାରେ ଫସଲ ଜାଳିଦେଲେ ଚାଷୀ

237

କନକ ବ୍ୟୁରୋ : ମାସେ ହେଲା ହୀରାକୁଦ କେନାଲ ପାଣି ଧାନ କ୍ଷେତକୁ ପହଞ୍ଚୁ ନାହିଁ । ସେହିପରି ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଥିବାରୁ ଲିଫ୍‌ଟ ପଏଣ୍ଟ ସବୁ ଅଚଳ ହୋଇ ପଡ଼ିଛି । ପାଣି ଅଭାବରୁ ବିଲରେ ମାଟି ଫାଟି ଆଁ କରିବା ସହିତ ଧାନଗଛ ସବୁ ମରି ପାଳ ହୋଇଗଲାଣି । ଶେଷରେ ହତାଶ ହୋଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଚୁଲିମାଳ ଗାଁର ଚାଷୀ ମହାଦେବ ଭୋଇ ଆଜି ତାଙ୍କ କ୍ଷେତରେ ନିଆଁ ଲଗାଇ ଫସଲ ଜାଳି ଦେଇଛନ୍ତି ।

ମହାଦେବ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଜମିକୁ କେନାଲ ପାଣି ପହଞ୍ଚିଲା ନାହିଁ। ସେହିପରି ବିଭିନ୍ନ ଆଳ ଦେଖାଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ସଂଯୋଗ କାଟି ଦିଆଯାଇଛି । ତେଣୁ ଲିଫ୍‌ଟ ପଏଣ୍ଟ ଅଚଳ ହୋଇ ପଡ଼ିଛି । ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣିଲେ ନାହିଁ । ତେଣୁ ତାଙ୍କ ୪ ଏକର ଧାନ ଫସଲ ଉଜୁଡ଼ି ଯାଇଛି । ଏହି କାରଣରୁ ସେ ଆଜି ଦିନ ୧୨ଟାରେ ନିଜର ଅଧ ଏକର ଫସଲରେ ନିଆଁ ଲଗାଇ ଦେଇଥିଲେ । ଗତବର୍ଷ ଚକଡ଼ା ପୋକ ଲାଗି ଶ୍ରୀ ଭୋଇଙ୍କ ୧୦ ଏକର ସମ୍ପୂର୍ଣ୍ଣ ଭାବେ ଫସଲ ନଷ୍ଟ ହୋଇ ଉଜୁଡ଼ି ଯାଇଥିଲା । ସେ ପ୍ରଶାସନକୁ ଲିଖିତ ଆକାରରେ ଜଣାଇଥିଲେ ବି ବର୍ତ୍ତମାନ ପର୍ୟ୍ୟନ୍ତ କ୍ଷତିପୂରଣ ପାଇନଥିବା କହିଛନ୍ତି ।

ବିନିକା ଆର୍‌ଆଇ ମୋହନ ପାଣ୍ଡେଙ୍କୁ ପଚରିବାରୁ ‘ଜଣେ ଚାଷୀ ଫସଲରେ ନିଆଁ ଲଗାଇଥିବା ସନ୍ଧ୍ୟାରେ ଖବର ପାଇଛି; ଆସନ୍ତାକାଲି ଏହାର ତଦନ୍ତ କରି ତହସିଲଦାରଙ୍କୁ ରିପୋର୍ଟ କରିବି’ ବୋଲି କହିଥିଲେ । ବିନିକା ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ରଶ୍ମିରଞ୍ଜନ ଜେନାଙ୍କୁ ପଚରିବାରୁ ସେ କହିଥିଲେ ଯେ ଆଜି ଗ୍ରାମବାସୀ କହିବା ପରେ ଦିନ ୪ଟାରେ ବିପଦଜନକ ଅବସ୍ଥାରେ ଥିବା ବିଦ୍ୟୁତ ତାର ସଜାଡ଼ି ବିଦ୍ୟୁତ୍‌ ସଂଯୋଗ ଦେବାକୁ କର୍ମଚାରୀଙ୍କୁ ଚୁଲିମାଳ ଗାଁକୁ ପଠାଇଛି ।